Odisha Link
Bridging the Missing Links in Odisha

୪ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦାକଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦୁର୍ନୀତି କରି ଚାକିରିରୁ ବିଦା ହେଲେ ୪ବରିଷ୍ଠ ଅଧିକାରୀ। ସରକାରୀ ଚାକିରି କରି ଦୁର୍ନୀତିରେ ଲିପ୍ତ ଥିବା ସ୍ପଷ୍ଟ ହେବା ପରେ ରାଜ୍ୟ ସରାକର ଏପରି ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ୪ ଜଣ ସରକାରୀ ଅଧିକାରୀଙ୍କୁ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ଚାରି ସରକାରୀ ବାବୁ ହେଉଛନ୍ତି ଢେଙ୍କାନାଳ ଓଟିଇଏସ ଆରଟିଓ ବସନ୍ତ ବେହେରା, ଅବକାରୀ ବିଭାଗର ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗ, ଡିଏଫଓ ଶରତ ଚନ୍ଦ୍ର ପଣ୍ଡା ଓ ଖାଦ୍ୟ ଯୋଗାଣ ବିଭାଗର ଏସିଏସ୍‌ଓ ଅଶୋକ କୁମାର ମାଝୀ

ଅଭିଯୋଗ ମୁତାବକ ଓଡିଶା ଟ୍ରାନ୍ସପୋର୍ଟ ଇଂଜିନିୟରିଂ ସର୍ଭିସର ଆରଟିଓ ବସନ୍ତ ବେହେରାଙ୍କ ନାମରେ ୨୦୧୮ ମସିହାରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ତାଙ୍କ ନାମରେ ସମୁଦାୟ ୩ କୋଟି ୬୧ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଭିଜିଲାନ୍ସ ଜାଣିବାକୁ ପାଇଥିଲା। ସେହିପରି ୨୦୧୨ ମସିହାରେ କଟକରେ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରି ଘରୁ ନଗଦ ୪୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିଲା।

ସେହିପରି ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କ ନାମରେ ୫ କୋଟି ୨୩ ଲକ୍ଷ ଷାଠିଏ ହଜାର ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିବାର ଭିଜିଲାନ୍ସ ଜାଣିବାକୁ ପାଇଥିଲା। ପରେ ୨୦୧୭ ମସିହାରେ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟ ଯାଇଥିଲେ ଏବଂ ରିମାଣ୍ଡରେ ମଧ୍ୟ ଆସିଥିଲେ। ଏହାଫଳରେ ସେ ମଧ୍ୟ ସସ୍‌ପେଣ୍ଡ ହୋଇଥିଲେ। ଏବଂ ଚଳିତ ବର୍ଷ ଜୁନ ମାସରେ କାର୍ଯ୍ୟରେ ଯୋଗ ଦେଇଥିଲେ। ବର୍ତ୍ତମାନ ତାଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳତ ଅବସର ଦେଇଛନ୍ତି।

ଏଥିସହିତ ଅବକାରୀ ବିଭାଗର ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗ ଏବଂ ଖାଦ୍ୟ ଯୋଗାଣ ବିଭାଗର ଏସିଏସ୍‌ଓ ଅଶୋକ କୁମାର ମାଝୀଙ୍କୁ ମଧ୍ୟ ଆଜି ରାଜ୍ୟ ସରକାର ବାଧ୍ୟତାମୂଳତ ଅବସର ଦେଇଛନ୍ତି।

Comments are closed.