Odisha Link
Bridging the Missing Links in Odisha

ପୁଲିସ ଗାଡ଼ି ଧରି ଚମ୍ପଟ ମାରିଲା ଅଭିଯୁକ୍ତ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଏକ ଜଙ୍ଗଲରୁ ପୁଲିସ ବାଇକ ମିଳିବା ରହସ୍ୟର ପର୍ଦ୍ଧାଫାସ ହୋଇଛି। ମିଳିଥିବା ବାଇକଟି ପୁଲିସ ପାଟ୍ରୋଲିଂ ଗାଡ଼ି ବୋଲି ସ୍ପଷ୍ଟ ହୋଇଛି। ପୁଲିସ ଗାଡ଼ି ଧରି ଜଣେ ଅଭିଯୁକ୍ତ ଗତକାଲି ରାତିରେ ଚମ୍ପଟ ମାରିଥିଲା। ପ୍ରକାଶ ଯେ, ଗତକାଲି ରାତିରେ ଶୁଳିଆପଦ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଲୋକକୁ ପୁଲିସ ପାଟ୍ରୋଲିଂ ଟିମ ଧରିଥିଲା। ବାଇକ ପାଟ୍ରୋଲିଂ କରୁଥିବା ଜଣେ ଏଏସଆଇ ଓ ହାବିଲଦାର ତାକୁ ଧରିଥିଲେ। ଅଭିଯୁକ୍ତକୁ ଧରି ସେମାନେ ମେଡିକାଲ ଟେଷ୍ଟ ପାଇଁ ହସ୍ପିଟାଲ ଆଣିଥିଲେ। ତେବେ କୋଷ୍ଟା ମେଡିକାଲରୁ ଚତୁରତାର ସହ ଅଭିଯୁକ୍ତ ଜଣକ ଖସିପଳାଇଥିଲା। ପୁଲିସ ପାଟ୍ରୋଲିଂ ବାଇକ ଧରି ଅଭୁଯୁକ୍ତ ଜଣକ ଚମ୍ପଟ ମାରିଥିଲା। ପରେ ଅଭିଯୁକ୍ତ ଜଣକ ଉଦଳା କଲେଜ ପାଖ ଜଙ୍ଗଲରେ ବାଇକ ଛାଡ଼ି ପଳାଇଥିଲା। ଏନେଇ ପାଟ୍ରୋଲିଂରେ ଥିବା ଉଭୟ ଏଏସଆଇ ସତ୍ୟନାରାୟଣ ବାରିକ ଓ ହାବିଲଦାର ଦୀପ୍ତେଂଶୁ ଦାସଙ୍କୁ ସସପେଣ୍ଡ କରାଯାଇଛି।

Comments are closed.