Odisha Link
Bridging the Missing Links in Odisha

ନଭେମ୍ବର ୧୨ ରୁ କଟକ ଐତିହାସିକ ବାଲିଯାତ୍ରା

କଟକ: ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦ତାରିଖରେ ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଉଭୟ ତଳପଡିଆ ଓ ଉପର ପଡିଆରେ ଆୟୋଜନ ହେବ ବାଲିଯାତ୍ରା। ତଳପଡିଆରେ ୩୭ ଓ ଉପର ପଡିଆରେ ୧୦ ଏକର ଜାଗାରେ ବାଲିଯାତ୍ରାର ଆୟୋଜନ ହେବ।
ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରାଯିବ। ତେବେ ଚଳିତବର୍ଷ ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ। ପୁର୍ବରୁ ମହାନଦୀ ପଠାରେ ବାଲିଯାତ୍ରା ବନ୍ଦ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ବାଲିଯାତ୍ରା ଫଳରେ ନଦୀ ପ୍ରଦୂଷଣ ହେଉଥିବାରୁ ବନ୍ଦ କରିବାକୁ କହିଥିଲେ ଗ୍ରୀନ ଟ୍ରିବ୍ୟୁନାଲ। ଯାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ଲାଷ୍ଟିକ ବ୍ୟାନ ତଥା ଅନ୍ୟାନ୍ୟ ପ୍ରଦ୍ୟୁଷଣ ଯୁକ୍ତ ସାମଗ୍ରୀକୁ ଯାତ୍ରାରୁ ଦୂରେଇ ରଖାଯିବା ନେଇ ନିଷ୍ପତି ନିଆଯାଇଛି। ମେଳାରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଇ-ରିକ୍ସା ବ୍ୟବସ୍ଥା କରାଯିବା ସହ ପଲିଥିନମୁକ୍ତ ବାଲିଯାତ୍ରା ପାଇଁ ପେପରବ୍ୟାଗ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିଭଳି ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପାଇଁ ଟେଣ୍ଡର ଡକାଯିବା ନେଇ ମହାନଗର ନିଗମ କମିଶନର କହିଛନ୍ତି।

Comments are closed.