Odisha Link
Bridging the Missing Links in Odisha

ଲଳିତ ମଙ୍ଗୋତ୍ରାଙ୍କ ଦ୍ବାରା ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

  • ପ୍ରକୃତି ଓ ସୃଜନ ପରସ୍କରର ପରିପୂରକ: ମଙ୍ଗୋତ୍ରା
  • ଦୁଇଦିନିଆ ଜାତୀୟ ଉତ୍ସବର ଉଦ୍‌ଯାପନୀ ସଭାରେ ଯୋଗଦେଲେ ରାଜ୍ୟପାଳ ଓ ସଂସ୍କୃତି ମନ୍ତ୍ରୀ

କୋରାପୁଟ: ଓଡ଼ିଶାର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜିତ ୨ୟ କୋରାପୁଟ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି ସୁଦୂର ଜମ୍ମୁ ଓ କଶ୍ମୀରରୁ ଆସିଥିବା ପ୍ରସିଦ୍ଧ ଡୋଗ୍ରୀ କବି ପ୍ରଫେସର୍‌ ଲଳିତ ମଙ୍ଗୋତ୍ରା। କୋରାପୁଟ ସହର ଠାରୁ ୨୨ କିଲୋମିଟର ଦୂର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ରେ ଅନୁଷ୍ଠିତ ଏହି ଦୁଇଦିନିଆ ଜାତୀୟ ସମାରୋହର ଉଦ୍‌ଘାଟନୀ ପର୍ବରେ ପ୍ରଫେସର୍‌ ମଙ୍ଗୋତ୍ରା ଉତ୍ସବର କେନ୍ଦ୍ରୀୟ ପ୍ରସଙ୍ଗ ପ୍ରକୃତି ଓ ସୃଜନ ସମ୍ପର୍କରେ ନିଜର ବୀଜଭାଷ ଉପସ୍ଥାପନ କରିଥିଲେ।

ନିଜ ଅଭିଭାଷଣରେ ମଙ୍ଗୋତ୍ରା କହିଲେ, ପ୍ରକୃତି ଓ ସୃଜନର ପରସ୍ପରର ପରିପୂରକ। ପ୍ରତି ମୁହୂର୍ତ୍ତରେ ଓ ପ୍ରତି ସ୍ତରରେ ପ୍ରକୃତି ନୂଆ ସୃଜନ କରିଚାଲିଛି: ଉଦାହରଣ ସ୍ବରୂପ ସୂକ୍ଷ୍ମ ସ୍ତରରେ ଗୋଟିଏ କ୍ଷୁଦ୍ର ମଞ୍ଜିରୁ ମହାଦ୍ରୁମ ପାଲଟୁଛି, ବ୍ରହ୍ମାଣ୍ଡ ସ୍ତରରେ ନୂଆ ନୂଆ ତାରା ଓ ଆକାଶଗଙ୍ଗାର ଉତ୍ପତ୍ତି। ଏପରିକି ପ୍ରକୃତିର ଯଉଁସବୁ ରୂପ ଆମକୁ ଧ୍ବଂସାତ୍ମକ ପରି ମନେହୁଏ, ଅସଲରେ ତାହା ନୂତନ ସୃଷ୍ଟିର ପୂର୍ବାଭାସ। ତାରକାଙ୍କ ବିସ୍ଫୋଟନ ନୂତନ ତାରା ଓ ଅନ୍ୟ ଖଗୋଳୀୟ ଦ୍ରବ୍ୟ ସୃଷ୍ଟି କରିଥାଏ। ଗଛ ଓ ପ୍ରାଣୀମାନଙ୍କର ମୃତ୍ୟୁ ଓ ବିଘଟନ ନୂଆ ଜୀବନ ସଂଚାର ପାଇଁ ସାର ଦେଇଥାଏ।

ଅକ୍ଟୋବର ୨୦ ତାରିଖ ସଂଧ୍ୟାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ପ୍ରଫେସର ମଙ୍ଗୋତ୍ରା ମଣିଷ ଓ ପ୍ରକୃତିର ଏକତା ଉପରେ ଗୁରୁତ୍ବାରୋପ କରିଥିଲେ। ବେଦ ଓ ଅନ୍ୟ ଭାରତୀୟ ଶାସ୍ତ୍ରୀୟ ସାହିତ୍ୟରୁ ଉଦାହରଣ ଦେଇ ସେ କହିଥିଲେ ଯେ ମଣିଷ ଓ ପ୍ରକୃତିର ଏକତାକୁ ଆମ ସାହିତ୍ୟ ସର୍ବଦା ସମାନ ଗୁରୁତ୍ବ ଦେଇଆସିଛି। ପ୍ରସିଦ୍ଧ କବି କାଳିଦାସଙ୍କର ପ୍ରତିଟି ସୃଜନରେ ମଣିଷ ଓ ପ୍ରକୃତିର ଜୟଗାନ କରାଯାଇଛି। ଅଭିଜ୍ଞାନ ଶକୁନ୍ତଳମ୍‌ ରେ ବୃକ୍ଷ, ପୁଷ୍ପ, ଜନ୍ତୁ ଏପରିକି ଋତୁ ମଣିଷର ଜୀବନ, ଚାଲିଚଳଣ ଓ ମନଭାବ ସହ ଗୁନ୍ଥିହୋଇ ରହିଛି।

ଆଜି ପ୍ରକୃତିର ଅବସ୍ଥା ଧ୍ବଂସାଭିମୁଖୀ ହେଉଥିବା ବେଳେ ପ୍ରଫେସର ମଙ୍ଗୋତ୍ରା ଏ ନେଇ ଦୁଃଖପ୍ରକାଶ କରିଥିଲେ। ତେବେ ଆଜି ସାହିତ୍ୟରେ ପ୍ରକୃତି ପ୍ରତି ଭଲପାଇବାର ସ୍ରୋତ ପୂର୍ବବତ୍‌ ବହିଚାଲିଛି ବୋଲି ସେ ସନ୍ତୋଷ ପ୍ରକାଶ କରିଥିଲେ।

ସେ କହିଥିଲେ, ‘ଲାଳସାର ବଶବର୍ତ୍ତୀ ମଣିଷର ପ୍ରକୃତି ଓ ପରିବେଶ ଉପରେ ଅତ୍ୟାଚାର କବିକୁ ଦୁଃଖ ଓ ପୀଡ଼ା ଦେଇଛି। ମଣିଷ ଭୁଲିଯାଉଛି ଯେ ସେ ନିଜେ ପ୍ରକୃତିର ଏକ ଅବିଚ୍ଛିନ୍ନ ଅଂଶ ଏବଂ ପ୍ରକୃତିର ଧ୍ବଂସ ପ୍ରକାରାନ୍ତରେ ମଣିଷକୁ ହିଁ ଧ୍ବଂସମୁହଁକୁ ଠେଲିଦେବ। ଏହି ଭାବ ହିଁ ଏବର ସାହିତ୍ୟରେ ବେଶ୍‌ ଦୃଷ୍ଟିଗୋଚର।

ଜଣାଶୁଣା କଥାକାର ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ବରିଷ୍ଠ କବି ତଥା ପ୍ରଶାସକ ପ୍ରଦୀପ ବିଶ୍ବାଳ ଓ ବରିଷ୍ଠ ଔପନ୍ୟାସିକ ପ୍ରଫେସର ଧରଣୀଧର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବ ପରେ ବ୍ରାଉନ୍‌ ଭାଲି ଖଫି ଇଷ୍ଟେଟ୍‌ର ସୁନ୍ଦର ସବୁଜିମା ପରିବେଶରେ ଏକ ବହୁଭାଷୀ ଗଳ୍ପ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି କୃଷ୍ଣ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଅନୁବାଦିକା କନକ ମଞ୍ଜରୀ ସାହୁ ଓ କଥାଶିଳ୍ପୀ ଶକ୍ତିପ୍ରଭା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। କବି ଅଗ୍ନିବେଶ ମହାପାତ୍ର ଓ ଗାୟତ୍ରୀ ମାଭୁରୁ ଅଧିବେଶନରେ ସଂଯୋଜନାର ଦାୟିତ୍ବ ନିର୍ବାହ କରିଥିଲେ। ୧୦ ଜଣରୁ ଅଧିକ କବି ଓ କଥାକାର ନିଜ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଗଳ୍ପ କବିତା ପାଠ କରିଥିଲେ।

କେଏଲ୍‌ଏଫ୍‌ ୨୦୧୯ର ଏହି ପ୍ରଥମ ସଂଧ୍ୟାରେ କୃଷିଉଦ୍ୟୋଗୀ ସୁଜୟ ପ୍ରଧାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର କଫି ଓ ସେସବୁର ଉତ୍ପାଦନ ପ୍ରଣାଳୀର ଏକ ପ୍ରଦର୍ଶନୀ ରଖାଯାଇଥିଲା।

କୋରାପୁଟ ସାହିତ୍ୟ ଉତ୍ସବର ଦ୍ବିତୀୟ ଦିନର ସମାରୋହ କୋରାପୁଟ ସହର ମଧ୍ୟରେ ଥିବା ଜନଜାତି ସଂଗ୍ରହାଳୟ ପ୍ରାଙ୍ଗଣର ସବୁଜ ଓ ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ହୋଇଥିଲା। ୨୧ ଅକ୍ଟୋବର ୨୦୧୯ର ଏହି ଦିବସବ୍ୟାପୀ ଉତ୍ସବ କୋରାପୁଟ ଓ ବିକାଶଶୀର୍ଷକ ଏକ ବିତର୍କ ଅଧିବେଶନରୁ ଆରମ୍ଭ ହୋଇଥିଲଶ। ଏହାକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଏଥିରେ ବକ୍ତା ଭାବେ ଯୋଗ ଦେଇଥିଲଷ ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ, ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ପ୍ରଶାସକ ଗଦାଧର ପରିଡ଼ା, ସାମାଜିକ କର୍ମୀ ଉମି ଡାନିଏଲ୍‌ ଓ ଶିକ୍ଷାବିତ ଉମାକାନ୍ତ ଦାଶ।

ଦ୍ବିତୀୟ ଦିନର ଅନ୍ୟ ଏକ ଅଧିବେଶନ ଥିଲା ପ୍ରକୃତି ଓ ସୃଜନ। ଏଥିରେ ଅନୁବାଦକ ଓ ସମାଲୋଚକ ପ୍ରଫେସର ବିକ୍ରମ ଦାସ, କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, କଥାଶିଳ୍ପୀ ନାରାୟଣ ପଣ୍ଡା, ଗବେଷିକା ସୁନୀତା ଶତପଥୀ ଓ ସୁଦୂର କେରଳରୁ ଆସିଥିବା ପ୍ରସିଦ୍ଧ ମଲାୟଲମ୍‌ ଲେଖକ ଭି ମୁଜାଫର ଅହମଦ ବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ଅଧିବେଶନକୁ ପରିଚଳାନା କରିଥିଲେ ଲେଖକ ଓ ସ୍ତମ୍ଭକାର ନେତାଜୀ ଅଭିନନ୍ଦନ।

ପରେ ପରେ ଦ୍ବିତୀୟ କୋରାପୁଟ ସାହିତ୍ୟ ପୁରସ୍କାର ବିଜେତା ଡ ଗୌରହରି ଦାସ ଓ ଶ୍ରୀ ବିପିନ ନାୟକଙ୍କ ସହ ଦୁଇଟି ଭିନ୍ନ ଭିନ୍ନ କଥୋପକଥନ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସମାନ ଭାବେ ଆଦିବାସୀ କୃଷି ବିଶେଷଜ୍ଞ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ମଧ୍ୟ ଏକ କଥୋପକଥନ ଅଧିବେଶନ ଦେଖିବାକୁ ମିଳିଥିଲା।

ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ଅଧିବେଶନଗୁଡ଼ିକ ଜନଜାତି ସଂଗ୍ରହାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ପ୍ରକୃତି ଓ ଓଡ଼ିଆ କାହାଣୀଶୀର୍ଷକ ଏକ ଅଧିବେଶନରେ ଡ ଅଜୟ ସ୍ବାଇଁ, ଆଦିତେଶ୍ବର ମିଶ୍ର, ଅମରେଶ ବିଶ୍ବାଳ, ସଂଯୁକ୍ତା ମହାପାତ୍ର ଓ ହାଡ଼ିବନ୍ଧୁ ମହାଖୁଡ଼ ବକ୍ତା ଭାବରେ ଯୋଗ ଦେଇଥିଲେ। ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କଥାକାର ସୁଜିତ କୁମାର ପ୍ରଧାନ ଏ ଅଧିବେଶନକୁ ପରିଚାଳନା କରିଥିଲେ।

ସମାନ ଭାବେ ପ୍ରକୃତି ଓ ଓଡ଼ିଆ କବିତାଶୀର୍ଷକ ଆଲୋଚନାରେ ଦୀପକ ସାମନ୍ତରାୟ, ବିରଜା ବଳ, ଅମିୟ ରଂଜନ ମହାପାତ୍ର ଓ ସ୍ନେହ ମିଶ୍ର ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ।

ପରେ ପରେ ପ୍ରସିଦ୍ଧ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ସହ କବି-ଅନୁବାଦକ-ଅଭିନେତା ରମାକାନ୍ତ ମିଶ୍ରଙ୍କର ଏକ ଅନ୍ତରଙ୍ଗ ଆଳାପ ବେଶ୍‌ ରୋଚକ ହୋଇଥିଲା ଯାହା କି ଥିଲା କେଏଲ୍‌ଏଫ୍‌ ୨୦୧୯ର ଅନ୍ୟତମ ଆକର୍ଷଣ।

ଏହି ଦୁଇଦିନିଆ ଜାତୀୟ ଉତ୍ସବରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ୩୦୦ରୁ ଅଧିକ ଲେଖକ, ଚିନ୍ତକ, ନୀତିସ୍ଥାପକ, ରାଜନେତା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତଥା ସ୍ଥାନୀୟ ବିଧାୟକ ରଘୁରାମ ପଡ଼ାଲ ଉତ୍ସବର ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।

ଉଦ୍‌ଯାପନୀ ସମାରୋହରେ ଯଥାକ୍ରମେ କାହାଣୀ ଓ କବିତା କ୍ଷେତ୍ରରେ ଅବଦାନ ନିମନ୍ତେ ପ୍ରସିଦ୍ଧ କଥାକାର ଡ ଗୌରହରି ଦାସ ଓ ଜଣାଶୁଣା କବି ବିପିନ ନାୟକଙ୍କୁ ଦ୍ବିତୀୟ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁରସ୍କାର ବାବଦରେ ୨୧ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ମାନପତ୍ର, ଉପଢ଼ୌକନ, ସ୍ମୃତିଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ।

ଏତଦ‌୍‌ଭିନ୍ନ ଅବିଭକ୍ତ କୋରାପୁଟ ଅଞ୍ଚଳର ୧୦ ଜଣ ପ୍ରତିଭାଙ୍କୁ ମଧ୍ୟ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ସଫଳ କୃଷିଉଦ୍ୟୋଗୀ ସୁଜୟ ପ୍ରଧାନ, ଜୟପୁରର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତିଷ୍ଠାନ ଓ୍ବାର ଗ୍ରୁପ୍, ନିଜର ସମାଜସେବା ପାଇଁ ପ୍ରସିଦ୍ଧ ଯୁବ ପ୍ରଶାସକ ଆଲୋକ କୁମାର ଅନୁଗୁଳିଆ, ଲେଖକ ସତ୍ୟନାରାୟଣ ଗନ୍ତାୟତ, ସାହିତ୍ୟ ସଂଗଠକ ଚନ୍ଦ୍ରକାନ୍ତ ବିଶ୍ବାଳ, ନାଟ୍ୟ ବ୍ୟକ୍ତିତ୍ବ ଅଶୋକ କର, ସାମାଜିକ କର୍ମୀ ସଂଜିତ ପଟ୍ଟନାୟକ, ଉଦ୍ୟୋଗୀ ଅକ୍ଷୟ କୁମାର ପାତ୍ର, କବି ଜଳଧର ସ୍ବାଇଁ ଓ ସାମ୍ବାଦିକ ଶାନ୍ତାକାର ଚେଲାପିଲା।

ଦୁଇଦିନିଆ ଏହି ଜାତୀୟ ଉତ୍ସବରେ ମୋଟ ୧୫ଟି ଅଧିବେଶନରେ ୬୦ରୁ ଅଧିକ ବକ୍ତା ଓ ୪୦ରୁ ଅଧିକ କବି ଯୋଗ ଦେଇଥିଲେ। ସଂଧ୍ୟାରେ ସ୍ଥାନୀୟ ଆଦିବାସୀ ଗବେଷଣା ପରିଷଦ କୋଟ୍‌ସପରିସରେ କୋଟପାଡ଼ ଓ୍ବିଭିଂଶୀର୍ଷକ ଏକ ସିନେମା ପ୍ରଦର୍ଶିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ମହାନ୍ତି, ପ୍ରୀତିଧାରା ସାମଲ, ଦେବଦତ୍ତ ପତି, ଗିରୀଶ ରଂଜନ, କୁଲାଙ୍ଗାର, ପ୍ରଦୀପ କୁମାର ମିଶ୍ର, ମାଧୁରୀ ପଣ୍ଡା, ରବି ଶତପଥୀ, ମୀନା ସ୍ବାଇଁ, ଝାନ୍‌ସୀ ସିଂ, ପିୟୁଷ ରଂଜନ ସାହୁ, ଚକ୍ରଧର ପାତ୍ର ଓ ପ୍ରତ୍ୟୁଷ ମିଶ୍ର ପ୍ରମୁଖ ବିଭିନ୍ନ ଅଧିବେଶନରେ ବକ୍ତା-କବି ଭାବେ ଯୋଗ ଦେଇଥିଲେ।

କବି ଓ ଶିକ୍ଷାବିତ ଡ ମୃତ୍ୟୁଞ୍ଜୟ ରଥ ଦୁଇଦିନର ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସମେତ ଓଡ଼ିଆ ମିଡିଆର ଟିମ୍‌ ସଦସ୍ୟ ଡ ରଜନୀକାନ୍ତ ତରାଇ, ଆଶିଷ କୁମାର ରଥ, ସୂଚୀସ୍ମିତା ସାହୁ, ଜିତେନ୍ଦ୍ର କୁମାର ଜେନା, ଶୁଭଶ୍ରୀ ଶୁଭଲକ୍ଷ୍ମୀ ମହାନ୍ତି, ପ୍ରଗତି ପଣ୍ଡିତ, ପ୍ରଦ୍ୟୁମ୍ନ ମହାପାତ୍ର, ସଂଗ୍ରାମ କେଶରୀ ନାୟକ ଓ ବିରେନ୍‌ ସାହୁ ପ୍ରମୁଖ ଉତ୍ସବ ସଂପାଦନର ସହାୟତା କରିଥିଲେ।

ଏ ଅବସରରେ ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା।

ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ଉତ୍ସବ ମାନ ଆୟୋଜିତ ହୋଇଥାଏ। ସେସବୁ ମଧ୍ୟରେ ରହିଛି ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଓ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରମୁଖ।

Read this news in English

http://www.odishastory.com/2019/10/20/lalit-mangotra-inaugurates-2nd-koraput-literary-festival/

Comments are closed.