Odisha Link
Bridging the Missing Links in Odisha

ନବବଧୂଙ୍କୁ ହତ୍ୟା ଉଦ୍ୟମ: ନ୍ୟାୟ ପାଇଁ ସୋଶିଆଲ ମିଡିଆର ଆଶ୍ରୟ ନେଲେ ବାପା

ଯାଜପୁର: ଝିଅଙ୍କୁ ଶାଶୁ ଘର ଲୋକେ ଝିଅକୁ କିରାସିନି ଢାଳି ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ବାପା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଥାନାରେ ଏତଲା ରଖାଯାଇନଥିଲା।ଶେଷରେ ପୀଡିତାଙ୍କ ବାପା ସୋଶିଆଲ ମିଡିଆର ଆଶ୍ରୟ ନେଇଥିଲେ। ଏକ ଭିଡିଓ କରି ସୋଶାଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଏ ଭିଡିଓ ଭାଇରାଲ ପରେ ଗତକାଲି କୋରେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ଜଳନ୍ଦା ଗାଁରୁ।
ସୂଚନା ଅନୁସାରେ, ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ବିଳାସଚନ୍ଦ୍ର ଦାସ ନିଜ ଝିଅକୁ କିଛି ଦିନ ତଳେ ଯାଜପୁର କୋରେଇ ଥାନା ଜଳନ୍ଦା ଗାଁରେ ବିବାହ କରାଇଥିଲେ। ତେବେ ଗତ ୨୩ ତାରିଖରେ ଶାଶୂଘର ଲୋକେ ତାଙ୍କୁ କିରାସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମହିଳା ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ପରେ ନବବଧୂଙ୍କ ବାପା ଏନେଇ ଏତଲା ଦେବା ପାଇଁ କୋରୋଇ ଥାନାକୁ ଯାଇଥିଲେ। ତେବେ ବଡ ବାବୁ ନଥିବାରୁ ତାଙ୍କ ଏତଲା ରଖାଯାଇନଥିଲା। ଏମିତିକି ଘଟଣା ଘଟିବାର କିଛିଦିନ ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବା ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି।
ସେହିପରି ପୀଡିତାଙ୍କ ବୟାନ ରେକର୍ଡ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ନବବଧୂଙ୍କ ବାପାଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୂରା ଘଟଣା ପଦାକୁ ଆସିଥିଲା। ଗତକାଲି କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
ପୀଡିତାଙ୍କ ବାପା ବିଳାସଚନ୍ଦ୍ର ଦାସ କହିଛନ୍ତି,“ମୋ ଝିଅକୁ ଶାଶୂ ଘର ଲୋକେ କିରୋସିନି ଢ଼ାଳି ପୋଡ଼ି ଦେବା ଉଦ୍ୟମ କରିଥିଲେ। ମୁଁ ଘଟଣା ଘଟିବାର ଦୁଇ ଦିନ ପରେ କୋରେଇ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲି। ବଡ଼ ବାବୁ ଥାନାରେ ନଥିଲେ। ଥାନାରେ ଉପସ୍ଥିତ ଥିବା ସେକେଣ୍ଡ ଅଫିସର ଏଫ୍‌ଆଇଆର ନ କରି ରୋଗୀ ଚିକିତ୍ସା କରିବା ପାଇଁ କହିଥିଲେ। ପରେ ଏଫଆଇଆର ଦେବ ବୋଲି କହିଥିଲେ।” କୋରେଇ ଆଇଆଇସି ରଞ୍ଜିତ ମହାନ୍ତି କହିଛନ୍ତି,“ ଗତକାଲି ଥାନାରେ ମାମଲା ରୁଜୁ ହୋଇଛି, ପୀଡିତାର ବୟାନ ରେକର୍ଡ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।”

Comments are closed.