Odisha Link
Bridging the Missing Links in Odisha

ଗଣମାଧ୍ୟମରେ ସରକାରୀ ବିରୋଧୀ ମନ୍ତବ୍ୟ ଦେବାକୁ ବାବୁଙ୍କୁ ମନା

ଭୁବନେଶ୍ୱର: ଗଣମାଧ୍ୟମରେ ନିଜ ଇଚ୍ଛାରେ କୌଣସି ମନ୍ତବ୍ୟ ଦେଇପାରିବେନି ସରକାରୀ ବାବୁ। କୌଣସି ପ୍ରସଙ୍ଗରେ ନିଜର ମତ ବି ଲେଖିପାରିବେନି। ଏ ନେଇ ସରକାର କଟକଣା ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ସ୍ୱତନ୍ତ୍ର ସଚିବ, ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖାଯାଇଛି। ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ସଂହିତା ୧୯୫୯ କୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତଙ୍କୁ ତାଗିଦ କରାଯାଇଛି।
ଏହି ଚିଠିରେ ଦର୍ଶାଯାଇଛି ସରକାରୀ କର୍ମଚାରୀଙ୍କ ପାଇଁ ଆଚରଣ ସଂହିତାକୁ ନ ମାନି କିଛି ସରକାରୀ କର୍ମଚାରୀ ଖବର କାଗଜ, ଟିଭି, ସୋସିଆଲ ମିଡିଆରେ ବିବୃତି ଦେଉଥିବାର ଲକ୍ଷ୍ୟ କରାଯାଉଛି। ଓଡ଼ିଶା ସରକାରୀ କର୍ମଚାରୀଆଚରଣ ସଂହିତା ୧୯୫୯ ର ରୁଲ-୭ରେ ସରକାରଙ୍କୁ ସମାଲୋଚନା, କେନ୍ଦ୍ର ରାଜ୍ୟ ସମ୍ପର୍କ ଉପରେ ସରକାରୀ ବିଭାଗ କୌଣସି ମତ ଦେବା କିମ୍ବା ଲେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ଯେଉଁମାନଙ୍କୁ ସରକାର ଅନୁମତି ଦେଇଥିବେ, ସେହିମାନେ ହିଁ ମତ ଦେଇପାରିବେ କିମ୍ବା ଲେଖିପାରିବେ। ୨୦୧୭ ଜୁନ ମାସରେ ମଧ୍ୟ ଏହି ଆଚରଣ ସଂହିତା ସମ୍ପର୍କରେ ସବୁ ବିଭାଗକୁ ସଚେତନ କରାଯାଇଥିଲା। ତେଣୁ ନିଜ ନିଜ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯେପରି ଆଚରଣ ସଂହିତାକୁ ମାନିବେ, ସେ ଦିଗରେ ଯତ୍ନବାନ ହେବାକୁ ସଚିବ ଓ ଜିଲ୍ଲାପାଳଙ୍କୁ କୁହାଯାଇଛି। ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା ହେବ ଓ ଆଚରଣ ସଂହିତା ମାନୁ ନଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ଚେତାଇ ଦେଇଛି।

Comments are closed.