Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ: ବିଧାନସଭାରେ ପହଞ୍ଚିଲେ ରାଜ୍ୟପାଳ, ମୁଖ୍ୟ ଫାଟକରେ ପଡିଥିଲା ତାଲା

କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ଆଜି ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ବିଧାନସଭା ମନା କରିଛନ୍ତି ପଶ୍ଚିମବଙ୍ଗର ମମତା ସରକାର। ଏଭଳି ଘଟଣା ଭାରତୀୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି।

ବିଧାନସଭାକୁ ଆଜି ରାଜ୍ୟପାଳ ଜଗଦୀପ ଯାଇଥିବା ବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍‌ରେ ତାଲା ପଡ଼ିଥିଲା। ଏହାକୁ ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଅନ୍ୟ ଗେଟ୍‌ ବାଟ ଦେଇ ବିଧାନସଭାରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଠାରୁ ପଶ୍ଚିମବଙ୍ଗ ବିଧାନସଭା ମୁଲତବୀ ରହିଛି। ତେବେ ଆଜି ରାଜ୍ୟପାଳ ବିଧାନସଭାର ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଚାହିଁଥିଲେ। ହେଲେ ସେ ବିଧାନସଭାରେ ପହଞ୍ଚିବା ପରେ ଭିଭିଆଇପି ଗେଟ୍‌ରେ ତାଲା ପଡ଼ିଥିଲା। ଶେଷରେ ରାଜ୍ୟପାଳ ବିଧାନସଭା ବାହାରେ ହିଁ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଜ୍ୟପାଳ ଜଗଦୀପ ଗଣମାଧ୍ୟମକୁ କହିଛନ୍ତି ଯେ, “ମୁଁ କେବେ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ନଥିଲି। ବିଧାନସଭା ମୁଲତବୀ ହୋଇଛି। ଏହାର ଅର୍ଥ ନୁହେଁ, ଏହା ବନ୍ଦ ହୋଇ ଯାଇଛି। ତଥାପି କାହିଁକି ଗେଟ୍‌ ବନ୍ଦ ରଖାଗଲା? ବିଧାନସଭା ମୁଲତବୀ ରହିଲେ ବି ଏହାର ପୂରା ସଚିବାଳୟ ଖୋଲା ରହିବା କଥା।

ମୁଁ କେବଳ ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଆସିଥିଲି। ହେଲେ ମୋ ସହ ଏମିତି ଘଟଣା ଘଟିଛି। ଭିଭିଆଇପି ଗେଟ୍‌ ବନ୍ଦ ଥିବାରୁ ମୁଁ ମିଡିଆ ଫାଟକ ଦେଇ ଭିତରକୁ ପ୍ରବେଶ କରିଥିଲି। ଏହା ମୋତେ ନୁହେଁ ପୂରା ଗଣତନ୍ତ୍ରକୁ ଅପମାନ।”

Comments are closed.