Odisha Link
Bridging the Missing Links in Odisha

ଶରଦ ପାଓ୍ୱାର ହୋଇପାରନ୍ତି ପରବର୍ତ୍ତୀ ରାଷ୍ଟ୍ରପତି

ମୁମ୍ବାଇ: ଶରଦ ପାଓ୍ୱାର ହୋଇପାରନ୍ତି ପରବର୍ତ୍ତୀ ରାଷ୍ଟ୍ରପତି। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ଏବେଠାରୁ ଏନସିପି ଓ ଶିବସେନା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଗଲାଣି। ଗତକାଲି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ନିଜର ମନ୍ତବ୍ୟ ଦେଇ କହିଥିଲେ ଯେ, ଦେଶର ଜଣେ ବରିଷ୍ଠ ନେତା ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ବିଚାର ହେବା ଉଚିତ। ସେହିପରି ଏନସିପି ସାଂସଦ ମାଜିଦ ମେମନ କହିଛନ୍ତି ଯେ, ଶରଦ ପାଓ୍ୱାରଙ୍କୁ ରାଷ୍ଟ୍ରପତି ବନାଇବା ପାଇଁ ସମର୍ଥନ ହାସଲ ନିମନ୍ତେ ଚେଷ୍ଟା ଆରମ୍ଭ ହୋଇଛି ଏବଂ ଏହାର ସକାରାତ୍ମକ ସଙ୍କେତ ମିଳୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ ସୁଦ୍ଧା ଏଥିପାଇଁ ସମସ୍ତ ଅଣ ବିଜେପି ଦଳକୁ ଏକାଠି କରାଯିବ।

୨୦୨୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଶରଦ ପାଓ୍ୱାର ବିଜୟୀ ହେଲେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିର ଲହରକୁ ହ୍ରାସ କରିବାରେ ମଧ୍ୟ ସହଯୋଗ ମିଳିବ।
ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନରେ ଶରଦ ପାଓ୍ୱାର କିଙ୍ଗ ମେକର ଭୂମିକାରେ ଆସିବା ପରେ ଶରଦ ପାଓ୍ୱାରଙ୍କ ରାଜନୈତିକ ଗୁରୁତ୍ୱ ଦେଶରେ ବଢିଛି ଏଥିସହ କିଛି ଅଣ ବିଜେପି ନେତା ଶରଦଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ବୋଲି ମାଜିଦ ମେମନ କହିଛନ୍ତି।

Comments are closed.