Odisha Link
Bridging the Missing Links in Odisha

ଝାରସୁଗୁଡ଼ାରୁ ବାରଣାସୀକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ । ଆଲାଏନ୍ସ ଏୟାର୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ଦେଇଯିବ। ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇପାରିବେ। ପୂର୍ବରୁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା। କେବଳ ଏତିକି ନୁହେଁ, ଜାନୁଆରୀ ୨୭ରୁ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ ଏୟାର୍। ଏହି ଦୁଇଟି ଦୈନିକ ବିମାନ ସେବା ଆରମ୍ଭ ହେବା ପରେ ଝାରସୁଗୁଡ଼ାରୁ କୋଲକାତା ଓ ବାରାଣାସୀକୁ ଖୁବ୍ କମ୍ ସମୟରେ ଯାତ୍ରୀ ପହଞ୍ଚିପାରିବେ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ କହିଛନ୍ତି।

ଝାରସୁଗୁଡ଼ାରୁ କୋଲକାତା ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗୁ ଥିବା ବେଳେ, ବାରାଣସୀକୁ ଭାୟା ଭୁବନେଶ୍ୱର ହୋଇ ପ୍ରାୟ ସାଢ଼େ ୩ ଘଣ୍ଟା ସମୟ ଲାଗିବ। ଉଡ଼ାଣ-୩ ଯୋଜନାରେ ଆଲାଏନ୍ସ ଏୟାର୍ ପକ୍ଷରୁ ଝାରସୁଗୁଡ଼ାରୁ ପୂର୍ବରୁ କେବଳ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଥିଲା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଝାରସୁଗୁଡା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଉପକୃତ ହେଉଛନ୍ତି। ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶାବାସୀ ନିର୍ଭରଶୀଳ। ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ୱାରା ସୁଫଳ ପାଇପାରୁଛନ୍ତି।

Comments are closed.