Odisha Link
Bridging the Missing Links in Odisha

ଆଜି ୨ ବୀର ପୁରୁଷଙ୍କ ଜୟନ୍ତୀ, ଏହି ସଂଗ୍ରାମୀଙ୍କୁ ନେଇ ଦେଶ ଗର୍ବିତ

ଭୁବନେଶ୍ୱର: ଓଡ଼ିଶା ମାଟିର ଦୁଇ ବୀରପୁତ୍ର ଭାରତ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମୁଖ୍ୟ ପୁରୋଧା ଥିଲେ। ଇଂରେଜ ଶାସନ ବିରୋଧରେ ଆଜୀବନ ସଂଗ୍ରାମ କରିଥିଲେ ସେହି ମହାନ ସଂଗ୍ରାମୀ। କେବେ ଶତ୍ରୁ ଆଗରେ ମୁଣ୍ଡ ନୁଆଇଁ ଥିଲେ। ଜାନୁଆରୀ ୨୩ ତାରିଖରେ ଏହି ପୂଣ୍ୟଗର୍ଭା ମାଟି ହିଁ ଜନ୍ମ ଦେଇଥିଲା  ସେହି ମହାନ ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ । ଆଜି ଜନ୍ମ ଜୟନ୍ତୀରେ ସାରା ରାଜ୍ୟ ଝୁରେ ସେହି ଦୁଇ ମହାନାୟକଙ୍କୁ।

ନେତାଜୀ ସୁବାସ ଚନ୍ଦ୍ର ବୋଷ:
୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଐତିହାସିକ ସହର କଟକ ଜନ୍ମ ଦେଇଥିଲା ସେହି ବିଶ୍ୱ ନେତାଙ୍କୁ । ଜାନକୀ ନାଥ ବୋଷ ଏବଂ ପାର୍ବତୀଙ୍କ ଔରସରୁ ଦେଶର ସୁଯୋଗ୍ୟ ସନ୍ତାନ ସୁବାସ ଚନ୍ଦ୍ର ବୋଷ କଟକ ସହରର ଓଡ଼ିଆ ବଜାରଠାରେ  ଜନ୍ମଗ୍ରହଣ କରିଥିଲେ। ନେତାଜୀଙ୍କ ପିତା ଜାନକୀ ନାଥ ବୋଷ କଟକର ଜଣେ ପ୍ରସିଦ୍ଧ ଓକିଲ ଥିଲେ । କଲିକତାର ପ୍ରେସିଡ଼େନସି କଲେଜରୁ ବି.ଏ ପାସ କରିଥିଲେ ସୁବାସ। ଛାତ୍ର ସମୟରୁ ହିଁ ସୁବାସଙ୍କ ଦେହରେ ବାରି ହୋଇ ପଡୁଥିଲା ଦେଶମାତୃକା ପ୍ରତି ଭଲ ପାଇବା ଗୁଣ ।  ପ୍ରେସିଡେନ୍ସି କଲେଜରେ ପଢୁଥିବା ସମୟରେ  ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟର ପ୍ରତିବାଦ କରିଥିଲେ ସୁବାସ, ଏଥିପାଇଁ କଲେଜରୁ ତଡ଼ା ମଧ୍ୟ ଖାଇଥିଲେ ।

୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ନିମନ୍ତେ ଇଣ୍ଡିଆନ ସିଭିଲ ସର୍ଭିସ୍‍ ଚାକିରି ଛାଡି ଭାରତକୁ ଫେରି ଆସିଥିଲେ । ଦେଶର ସ୍ୱାଧୀନତା ପାଇଁ ‘ଆଜାଦ ହିନ୍ଦ ଫୌଜ’ ଗଢ଼ି ଏହାର ନେତୃତ୍ୱ ନେଇଥିଲେ ସୁବାସ। ବ୍ରିଟିଶ ସୈନ୍ୟ ବିରୋଧରେ ଲଢିବା ପାଇଁ ସୁବାସଙ୍କ ଆହ୍ଵାନ ଥିଲା- ‘ଦିଲ୍ଲୀ ଚଲୋ’। ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ସୁଭାସଙ୍କ ଏହି ଆହ୍ୱାନରେ ଅନୁପ୍ରାଣିତ ହୋଇ ହଜାର ହଜାର ଯୁବକ ଇଂରେଜଙ୍କ ବିରୋଧରେ ଲଢିବାକୁ ସପଥ ନେଇଥିଲେ । ଗୋରା ବାହିନୀଙ୍କ ପାଇଁ ଏକ ଆତଙ୍କ ଥିଲେ ସୁବାସ।

ବୀର ସୁରେନ୍ଦ୍ର ସାଏ:
ଜୀବନ ଦେଇଦେଲେ ପଛେ, ବଶତା ସ୍ୱୀକାର କରିନଥିଲେ ସେହି ବୀର ପୁରୁଷ ସୁରେନ୍ଦ୍ର ସାଏ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଶ ମାତୃକାର ସ୍ୱାଧୀନତା କଥା ଚିନ୍ତା କରୁଥିଲେ। ତାଙ୍କ ଗରିଲା ଯୁଦ୍ଧରେ ଛାନିଆ ହୋଇ ଯାଉଥିଲେ ଗୋରା ବାହିନୀ । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭାରତ ମାତାର ବୀର ଯୋଦ୍ଧା ସୁରେନ୍ଦ୍ର ସାଏ।

ବୀର ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ୨୩ ରେ ଜନ୍ମଗ୍ରହଣ କରିଥିଲେ। ସେ ସମ୍ବଲପୁର ଜିଲ୍ଲାର ବରଗାଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ପୁତ୍ର ଅଟନ୍ତି ସୁରେନ୍ଦ୍ର। ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ସେ ଇଂରେଜ ସରକାର ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ । ବୀର ସୁରେନ୍ଦ୍ର ସାଏ ତାଙ୍କ ଜୀବନ କାଳର ୭୫ ବର୍ଷ ମଧ୍ୟରୁ ୩୬ ବର୍ଷ କାରଗାରାରେ ବିତାଇଥିଲେ। ୨୩ ଜାନୁଆରୀ ୧୮୬୪ରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରି ମଧ୍ୟପ୍ରଦେଶର ଅସୁରଗଡ଼ ଦୁର୍ଗରେ ବନ୍ଦୀ କରି ରଖିଥିଲା ଇଂରେଜ ବାହିନୀ।  ସେବେଠାରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ। ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ପରଲୋକ ହୋଇଥିଲା

ଭାରତ ମାତାର ସ୍ୱାଧୀନତା ପାଇଁ  ସଂଗ୍ରାମୀ ଦ୍ୱୟଙ୍କ ଅବଦାନ ଅତୁଳନୀୟ। ଏହି ଓଡ଼ିଶା ମାଟି ପାଇଁ ସେମାନେ ଗର୍ବ ଏବଂ ଗୌରବ।

Comments are closed.