Odisha Link
Bridging the Missing Links in Odisha

ଓଡ଼ିଶାରେ ଚାଲିଛି ଏକଛତ୍ରବାଦୀ ଶାସନ: ବିଜେପି

ଭୁବନେଶ୍ବର: ଜାନୁଆରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଛୋଟ ଛୋଟ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟସରକାର ପୋଲିସ ଲଗାଇ ପରେଡ୍ ଗ୍ରାଉଣ୍ଡରୁ ଉଠାଇ ନେଇ ସେମାନଙ୍କୁ ଗିରଫ କରି ୩୦୭ ସମେତ ୯ଟି ଅପରାଧିକ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଡ.ସାମନ୍ତସିଂହାର କହିଛନ୍ତି ଯେ, ଏହି ସରକାରରେ ହାତୀ ଗଳିଯିବ କିନ୍ତୁ ପିମ୍ପୁଡି ଗଳିବାକୁ ବାଟ ନାହିଁ। ଗତ କିଛିଦିନ ତଳେ ଶାସକ ଦଳର ଗୁଣ୍ଡାମାନେ ପରବିନ୍ଦରଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କଲେ, ପଥରରେ ଆଖି ଛେଚିଲେ, ମୁଣ୍ଡ ଫଟାଇଲେ ମଧ୍ୟ ପୋଲିସ ଦଫା କମ ଲଗାଇ ଅପରାଧାମାନଙ୍କୁ ଜାମିନ ଦେବାର ବ୍ୟବସ୍ଥା କରିଥିଲା। ପୋଲିସ ଅଧିକାରୀ ସ୍ଥାନୀୟ ବିଧାୟକଙ୍କ ସହ ଘଟଣାକୁ ଚାପି ଦେବା ପାଇଁ ଧମକ ଦେବାକୁ ଜନୈକ ବ୍ୟକ୍ତିଙ୍କ ଘରକୁ ରାତି ଅଧରେ ଯାଇଥିଲେ। ପୋଲିସ ଏଠି ତଦନ୍ତ ନାଁରେ ଅପରାଧୀଙ୍କୁ ଘଂଟ ଘୋଡାଇ ଚାଲିଛି। ଅନ୍ୟପକ୍ଷରେ ନିଜ ଅଧିକାର ଦାବି ନେଇ ୨୦୧୫ ମସିହାରୁ ଧାରଣାରେ ବସିଥିବା ଦୁଇ ନିରୀହ ଝିଅଙ୍କ ସମସ୍ୟା ନବୁଝି ପୋଲିସ ତାଙ୍କୁ ଗିରଫ କରିବା ଆଉ ୩୦୭ଧାରା ଲଗାଇବା ଅତ୍ୟନ୍ତ ନିନ୍ଦନୀୟ। ସେମାନେ କାହାକୁ ମରଣାନ୍ତକ ଆକ୍ରମଣ କରିଛନ୍ତି କି ? ସରକାରଙ୍କର କ’ଣ ଦାୟିତ୍ୱ ନୁହେଁ ଯେ ଯେଉଁମାନେ ୫ବର୍ଷ ହେବ ଧାରଣା ଦେଉଛନ୍ତି ସେମାନେ କାହିଁକି ଏଠିକି ଆସିଛନ୍ତି, ତାଙ୍କର ସମସ୍ୟା କ’ଣ, ତାଙ୍କୁ କେମିତି ନ୍ୟାୟ ମିଳିପାରିବ ସେ କଥା ବୁଝିବେ। କିନ୍ତୁ ରାଜ୍ୟସରକାର ତାହା ନକରି ତାଙ୍କୁ ଉଠାଇ ନେଇ ଗିରଫ କରିଛନ୍ତି।

ଏହି ଛୋଟ ଛୋଟ ଝିଅ ମାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କ ଉପରେ ଲଗାଯାଇଥିବା କଡା ଦଫା ଗୁଡିକୁ ପୋଲିସ ପ୍ରତ୍ୟାହାର କରିବାକୁ ଡ. ସାମନ୍ତସିଂହାର ଦାବି କରିଛନ୍ତି। ଯେଉଁଠି ପୋଲିସ୍ ତାହାର କାର୍ଯ୍ୟାନୁଷ୍ଠାନ ନେବା କଥା ସେଠାରେ ନେଉନାହିଁ ଏବଂ ଯେଉଁଠି ନନେବା କଥା ସେଠାରେ ନେଉଛି। ଏଠି ରାଜ୍ୟରେ କେବଳ ଏକଛତ୍ରବାଦୀ ଶାସନ ଚାଲିଛି। ସରକାର ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଏହା କେବେବି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

Comments are closed.