Odisha Link
Bridging the Missing Links in Odisha

ବ୍ୟାଙ୍କ ଧର୍ମଘଟ : ପ୍ରଭାବିତ ହେଉଛି ହଜାର କୋଟିର କାରବାର

ଭୁବନେଶ୍ୱର: ଗତକାଲି ଠାରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି। ମଜୁରି ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ ବ୍ୟାଙ୍କ କାର୍ଯ୍ୟ, ମୂଳ ଦରମା ସହିତ ସ୍ୱତନ୍ତ୍ର ଭତ୍ତାର ମିଶ୍ରଣ, ସ୍ୱତନ୍ତ୍ର ପେନସନ୍‍ ସ୍କିମ୍‍, ପରିବାର ପେନ୍‍ସନ୍‌ରେ ବୃଦ୍ଧି ଆଦି ୧୨ ଦଫା ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ଏହି ଧର୍ମଘଟ କରିଛନ୍ତି।​ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ)ର ଡାକରାରେ ଦୁଇ ଦିନ ଧରି ଦେଶବ୍ୟାପୀ ଏହି ଧର୍ମଘଟ ହୋଇଛି। ୯ ବ୍ୟାଙ୍କ ସଂଘ ଏଆଇବିଇଏ, ଏଆଇବିଓସି, ଏନ୍‍ସିବିଇ, ଏଆଇବିଓଏ, ବିଇଏଫ୍‍ଆଇ, ଇଏନ୍‍ବିଇଏଫ୍‍, ଆଇଏନ୍‍ବିଓସି, ଏନ୍‍ଓବିଡବ୍ଲ୍ୟୁ ଏବଂ ଏନ୍‍ଓବିଓକୁ ନେଇ ଗଠିତ ୟୁଏଫ୍‌ବିୟୁ ଅଧୀନରେ ଧର୍ମଘଟ କରାଯାଇଛି। ଧର୍ମଘଟ ଯୋଗୁ ଆଜି ରାଜ୍ୟରେ ପାଖାପାଖି ୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଥିବା ଜଣାଯାଇଛି। ତେବେ ବ୍ୟାଙ୍କ ଶାଖାଗୁଡିକ ବନ୍ଦ ରହିବା ଯୋଗୁ ଗ୍ରାହକମାନେ ବେଶ ହନ୍ତସନ୍ତ ହୋଇଛନ୍ତି।
ଏହି ଧର୍ମଘଟ ପ୍ରଭାବରେ ଦେଶ ତଥା ରାଜ୍ୟରେ ବ୍ୟାଙ୍କ କାରବାର ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଧର୍ମଘଟ ଯୋଗୁ ଦେଶର ସମସ୍ତ ଭାଗରେ ବ୍ୟାଙ୍କ ବନ୍ଦ ରହିଥିଲା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବା ଯୋଗୁ ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା। କେତେକ ବେସରକାରୀ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଦେଶରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି।

Comments are closed.