Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ମେ’ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏହାପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ଆକଳନ କରାଯାଉଛି। ଏନେଇ IMD ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଝଡ଼ବାତ୍ୟାର ରୂପରେଖ କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ହୋଇ ନ ଥିବାବେଳେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ପଡ଼ିବ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସ୍ପଷ୍ଟ ହୋଇନାହିଁ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଏବେ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। କାଳକ୍ରମେ ଘନୀଭୂତ ହୋଇ ୧୫ରେ ଅବପାତର ରୂପ ନେବ। ୧୬ ସନ୍ଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ପ୍ରଥମେ ଉତ୍ତର ପଶ୍ଚିମ ଓ ପରେ ଉତ୍ତରପୂର୍ବ ଦିଗକୁ ଗତି କରିବ। ତେବେ ବାତ୍ୟା କେଉଁ ଉପକୂଳ ଅତିକ୍ରମ କରିବ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ତେବେ ୧୩ରୁ ୧୭ ତାରିଖ ଯାଏଁ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ। ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର ସଠିକ ଆକଳନ କରାଯାଇପାରିବ। କେଉଁ ଉପକୂଳ ଅତିକ୍ରମ କରିବ ସେ ସମ୍ପର୍କରେ ପରେ ଆକଳନ କରାଯାଇପାରିବ।

ତେବେ ୧୫ରୁ ସମୁଦ୍ର ଅଶାନ୍ତ ରହିବ। ୧୫ ପୂର୍ବରୁ ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.