ଅବପାତର ରୂପ ନେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ। ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାତ୍ୟାର ରୂପ ନେବ। ତେବେ ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୧ଶହ କିଲୋମିଟର ଦୂର ଓ ଦୀଘାଠାରୁ ୧୨ଶହ ୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି। ପରବର୍ତୀ ୧୨ଘଣ୍ଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି ସୂଚନା ରହିଛି।
ବାତ୍ୟା ଅମ୍ଫାନ ଭୀଷଣ ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି। କାରଣ ବଙ୍ଗୋପସାଗରରେ ଜଳବାୟୁର ସ୍ଥିତି ବାତ୍ୟାକୁ ସୁହାଉଛି ବୋଲି ଆକଳନ କରାଯାଉଛି। ୨୦ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି।
ସାମୁଦ୍ରିକ ଝଡ ପଶ୍ଚିମବଙ୍ଗ, ଓଡିଶା ପଶ୍ଚିମବଙ୍ଗ ସୀମା କିମ୍ବା ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ବାତ୍ୟାର ଏହି ମୁହୂର୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମୟରେ ଏହାର ପ୍ରଭାବ ସବୁଠାରୁ ଅଧିକ ଥାଏ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁଖ୍ୟ ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଏହି ସାମୁଦ୍ରିକ ଝଡ ବାତ୍ୟାର ରୂପ ନେବା ପରେ ଏହାର ଗତିପଥ ନେଇ କିଛି ସ୍ପଷ୍ଟ କୁହାଯାଇପାରିବ। ଅନ୍ୟ ଦେଶର କିଛି ପାଣିପାଗ ସଂସ୍ଥା ଏହି ବାତ୍ୟା ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରୁଥିବାବେଳେ ଅନେକ ଭରଷା ଯୋଗ୍ୟ ପାଣିପାଗ ପୂର୍ବାନୁମାନ ସଂସ୍ଥା କହୁଛନ୍ତି, ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ମୁହାଁ ହୋଇପାରେ।
ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର। ତେବେ କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକକୁ ବେଶି ପ୍ରଭାବ ପଡିପାରେ ବୋଲି ଅନୁମାନ କରାଯାଉଥିବାରୁ ଏସବୁ ଜିଲ୍ଲା ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।