Odisha Link
Bridging the Missing Links in Odisha

ରାଜ୍ୟକୁ ଅଧିକ ସାର ଯୋଗାଇଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କଲେ କୃଷି ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖଭାଇ ମାଣ୍ଡଭିୟ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କର ବୈଠକରେ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଏଥିରେ ମନ୍ତ୍ରୀ ଡଃ ସାହୁ ଅଗଷ୍ଟ ମାସରେ ବାକି ୟୁରିଆ ସାର ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ସେପେଫମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ। ଖରିଫ୍‌ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ। ଭାରତର ପୂର୍ବାଞ୍ଚଳରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନାହିଁ । ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ। ୨୦୨୦ ଜୁନ୍‌ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ୍ ଟନ୍‌ ଥିବାବେଳେ ୫୬ ହଜାର ୨୨୮ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ ହୋଇଥିଲା ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟ୍ରିକ୍ ଟନ୍‌ କମ୍‌ ଥିଲା। ସେହିପରି ଜୁଲାଇ ମାସରେ ୧୯ ହଜାର ୬୧୯ ମେଟ୍ରିକ୍ ଟନ୍ କମ୍‌ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ଏକ ଲକ୍ଷ ମେଟ୍ରିକ୍ ଟନ୍‌ ‌ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୩୪ ହଜାର ୧୫୦ ମେଟ୍ରିକ୍ ଟନ୍‌ ଯୋଗାଣ ହୋଇଛି । ଜୁନ୍‌ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏବଂ ଅଗଷ୍ଟ ମାସର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟ୍ରିକ୍ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି । ଓଡ଼ିଶାରେ ଖରିଫରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି।
ରାଜ୍ୟ ସରକାରଙ୍କ ତରଫରୁ ଇଫକୋ, ଆରସିଏଫ, ଏନ୍‌ଏଲଏଫ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ୱ ଉତ୍ପାଦିତ ସାର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ ପଟାସ ଲିମିଟେଡ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇଦେବା ପାଇଁ ମନ୍ତ୍ରୀ ଡଃ ସାହୁ ଅନୁରୋଧ କରିଥିଲେ। ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାସ୍‌ଲେସ୍‌ ଓ ଡିଜିଟାଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅଦ୍ୟାବଧି ୧୦୦୦ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡ଼ିଜିଟାଲ କରାଯାଇଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ବୈଠକରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍‌. ମୁଥୁକୁମାର ଯୋଗଦେଇଥିଲେ ।

Comments are closed.