Odisha Link
Bridging the Missing Links in Odisha

୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ରାଜ୍ୟ ସରକାର ରାଜ୍ୟରେ ଥିବା ସବୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଯାଇ ଶୁଖିଲା ରାସନ ବଣ୍ଟନ କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ସୂଚନା ଅନୁସାରେ ୩ ରୁ ୬ ବର୍ଷ ବୟସର ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଶୁଖିଲା ରାସନ ବାବଦକୁ ଛତୁଆ, ବାଦାମ ଲଡୁ, ଚିକି, ଅଣ୍ଡା ଏବଂ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ହିତାଧିକାରୀମାନଙ୍କୁ ମାଣ୍ଡିଆ ଚୂନାର ପ୍ୟାକେଟ୍ ବଣ୍ଟନ କରାଯାଇଛି।

ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହି ଯୋଜନା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୦ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି। ଯେଉଁମାନଙ୍କ ମଧ୍ୟରେ ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ଶିଶୁ, ୩ରୁ ୬ ବର୍ଷ ବୟସର ୧୬,୧୩,୭୭୫ ଜଣ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା ଉପକୃତ ହେଉଛନ୍ତି। ଏହାଛଡ଼ା ଲକଡାଉନ ସମୟରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ଯୋଗ୍ୟତା ଅନୁସାରେ ଶୁଖିଲା ରାସନ ବଣ୍ଟନ କରାଯାଇଛି।

Comments are closed.