Odisha Link
Bridging the Missing Links in Odisha

ସେପ୍ଟେମ୍ବରରେ ୪ଜି ଡାଉନଲୋଡ୍ ସ୍ପିଡ୍ ଚାର୍ଟରେ ସର୍ବାଗ୍ରେ ଜିଓ: ଟ୍ରାଇ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ସେପ୍ଟେମ୍ବର ୨୦୨୦ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଟାର୍ଟରେ ରିଲାଏନ୍ସ ଜିଓ ସବୁଠାରୁ ଆଗରେ ରହିଛି। ସେପ୍ଟେମ୍ବର ମାସରେ ଜିଓ ୧୯ ଦଶମିକ ୩ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଛି। ରିଲାଏନ୍ସ ଜିଓ ବିଗତ ତିନି ବର୍ଷ ଧରି କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ୪ଜି ଡାଉନଲୋଡ ସ୍ପିଡ୍ ସହିତ ଦେଶର ଦ୍ରୁତତମ ୪ଜି ସେବା ପ୍ରଦାନକାରୀ ରହିଆସିଛି। ଜିଓ ସେପ୍ଟେମ୍ବରରେ ହାସଲ କରିଥିବା ୪ଜି ଡାଉନଲୋଡ ସ୍ପିଡ୍ ପ୍ରତିଦ୍ୱନ୍ଦୀ କମ୍ପାନୀ ଭାରତୀ ଏୟାରଟେଲ ଠାରୁ ପ୍ରାୟ ଅଢେଇ ଗୁଣା ରହିଥିବା ଜଣାପଡିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ଏହି ମାସରେ ଭାରତୀ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଅଗଷ୍ଟ ମାସଠାରୁ ସାମାନ୍ୟ ଉନ୍ନତ ହୋଇ ୭ ଦଶମିକ ୫ ଏମବିପିଏସ୍ ରହିଥିଲା। ସେହିଭଳି ଭୋଡାଫୋନ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୭ ଦଶମିକ ୯ ଏମ୍‌ବିପିଏସ୍ ରହିଥିବା ବେଳେ ଆଇଡିଆର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୮ ଦଶମିକ ୬ ଏମ୍‌ବିପିଏସ୍ ରହିଥିବା ଜଣାପଡିଛି। ଭୋଡାଫୋନ ଓ ଆଇଡିଆର ମିଶ୍ରଣ ଘଟିଥିଲେ ମଧ୍ୟ ଟ୍ରାଇ ପକ୍ଷରୁ ଉଭୟଙ୍କର ୪ଜି ସ୍ପିଡ୍ ଅଲଗା ଭାବେ ପ୍ରକାଶିତ ହେଉଛି।

ସେହିଭଳି ହାରାହାରି ୪ଜି ଅପଲୋଡ୍ ସ୍ପିଡରେ ସେପ୍ଟେମ୍ବର ମାସରେ ୬ ଦଶମିକ ୫ ଏମବିପିଏସ୍ ସ୍ପିଡ୍ ସହିତ ଭୋଡାଫୋନ ଆଗରେ ରହିଥିବା ବେଳେ ଆଇଡିଆ ୬ ଦଶମିକ ୨ ଏମବିପିଏସ୍ ଅପଲୋଡ ସ୍ପିଡ୍ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଏହି ମାସରେ ଉଭ୍ୟ ଏୟାରଟେଲ ଓ ଜିଓର ହାରାହାରି ୪ଜି ଅପଲୋଡ ସ୍ପିଡ୍ ୩ ଦଶମିକ ୫ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ପ୍ରକାଶ କରିଛି।

ଟ୍ରାଇ ଦ୍ୱାରା ଏହାର ମାଇଁ ସ୍ପିଡ୍ ଆପ୍ଲିକେଶନ ଜରିଆରେ ବାସ୍ତବ ସମୟରେ ହାରାହାରି ସ୍ପିଡ୍ ଆକଳନ କରାଯାଇଥାଏ। ଓଡିଶାରେ ସେପ୍ଟେମ୍ବର ମାସରେ ଜିଓ ୧୯ ଦଶମିକ ୧ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ବେଳେ ଏହା ପଛକୁ ଏୟାରଟେଲ୍ ୫ ଏମବିପିଏସ୍ ଓ ଭୋଡାଫୋନ୍ ୪ ଏମବିପିଏସ୍ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

Comments are closed.