Odisha Link
Bridging the Missing Links in Odisha

ଭୂତ ଗଛ: ଖାଇଗଲେ ୬୦ ଲକ୍ଷ ଟଙ୍କା

କେନ୍ଦୁଝର: ମୃତ୍ତିକା ସଂରକ୍ଷଣ ବାବଦକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ଏହାର ଲକ୍ଷ୍ୟ ଜଙ୍ଗଲ ସୃଷ୍ଟି କରିବା। ହେଲେ ମୃତ୍ତିକା ସଂରକ୍ଷଣ ବିଭାଗରେ ଦେଖିବାକୁ ମିଳିଛି ବଡ଼ ଧରଣର କେଳେ‌ଙ୍କାରୀ। କାଜୁ ଜଙ୍ଗଲ ସୃଷ୍ଟି ପାଇଁ ଟଙ୍କା ବ୍ୟୟ ହେଉଥିଲେ ବି ଜଙ୍ଗଲ ଦେଖିବାକୁ ମିଳୁନାହିଁ। କେତେକ ଅସାଧୁ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଏହି ଯୋଜନା ଫସର ଫାଟି ଯାଇଛି। ଯାହା ଫଳରେ ମୂଳରୁ ଗଛ ନ ଲଗାଇ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି।

କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ରସବନ୍ତରାଳ ଗାଁରେ ୨୦୧୬-୧୭ ମସିହାରୁ ଜୀବନଜୀବିକା ସୃଷ୍ଟି ଲକ୍ଷ୍ୟରେ କାଜୁ ଜଙ୍ଗଲ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଫୁଲବାଡି ସାହି ପଛରେ ୭ ହେକ୍ଟର ଜମିରେ କାଜୁ ଗଛ ଲାଗିଥିଲା। ଏଥିପାଇଁ ପ୍ରଥମ ବର୍ଷ ୧୨,୯୦,୯୪୦ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଦ୍ବିତୀୟ ବର୍ଷ ୬,୦୯,୦୦୦ ଟଙ୍କା ଏବଂ ତୃତୀୟ ବର୍ଷ ୧,୩୮,୪୭୩ ଟଙ୍କା ଖର୍ଚ୍ଚ ହୋଇଥିଲା। ଏତେ ଟଙ୍କା ଖର୍ଚ୍ଚ ପରେ ବି ଗୋଟିଏ ବି କାଜୁ ଗଛ ଦେଖିବାକୁ ମିଳୁନାହିଁ। ‌ପଡ଼ିଆ ସା‌ରା ଘାସ ଭର୍ତ୍ତି ରହିଛି।

ହିସାବ ମୁତାବକ, ପ୍ରତି ହେକ୍ଟର ପିଛା ୨୦୦ ଗଛ ଲଗାଯିବା କଥା। ତେବେ ହେକ୍ଟରକୁ ଯଦି ୨୦୦ ଗଛ ଲଗାଯାଏ, ତାହେଲେ ଏହି ୭ ହେକ୍ଟରରେ ସର୍ବନିମ୍ନ ୧୪୦୦ କାଜୁ ଗଛ ରହିବା କଥା। ଯଦି ଗଛର ମୃତ୍ୟୁହାରକୁ ହିସାବକୁ ନିଆଯାଏ, ତେବେ ସରକାରୀ ହିସାବରେ ପ୍ରଥମ ବର୍ଷ ୧୦ ପ୍ରତିଶତ ଗଛ ମରିଯିବାର ସମ୍ଭାବନା ରହିଛି। ସେହିପରି ଦ୍ବିତୀୟ ବର୍ଷ ଏହା ୫ ପ୍ରତିଶତ ଗଛ ମରିବାର ବି ସମ୍ଭାବନା ରହିଛି। ତେଣୁ ଦୁଇ ବର୍ଷରେ ଗଛ ମରିଗଲେ ବି ସର୍ବନିମ୍ନ ୧୨ଶହ ଗଛ ନିଶ୍ଚିତ ରହିବା କଥା। ମାତ୍ର ଏଠାରେ ଗୋଟିଏ ବି ଗଛ ନାହିଁ।

Comments are closed.