ପ୍ରକାଶ ପାଇଲା ଏନଟିଏ ଏନଇଇଟି-୨୦୨୦ର ପରୀକ୍ଷାଫଳ

ନୂଆଦିଲ୍ଲୀ : ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏନଟିଏ ଏନଇଇଟି -୨୦୨୦ ର ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାଫଳ ଏନଟିଏର ୱେବସାଇଟ ntaneet.nic.in ଓ mcc.nic.in ରେ ଉପଲବ୍ଧ ହେଉଛି ।
ୱେବସାଇଟରେ ପ୍ରାର୍ଥୀମାନଙ୍କର ସ୍କୋର, ର୍ୟାଙ୍କ ଓ ପରୀକ୍ଷା ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରକାଶିତ ହୋଇଛି । ତେବେ ଉଭୟ ସେପ୍ଟେମ୍ବର ୧୩ ଓ ଅକ୍ଟୋବର ୧୪ରେ ହୋଇଥିବା ପରୀକ୍ଷାର ଫଳାଫଳ ଅନ୍ତର୍ଭୁକ୍ତ ରହିଛି । ଏହି ପରୀକ୍ଷା ପ୍ରାୟ ୧୪.୩୭ ଲକ୍ଷ ପରୀକ୍ଷାର୍ଥୀ ଦେଇଥିଲେ ।
ସେହିପରି ଅକ୍ଟୋବର ୧୪ରେ ଆଉ ଏକ ସ୍ୱତନ୍ତ୍ର ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସେପ୍ଟେମ୍ବର ୧୩ରେ କରୋନା ସଂକ୍ରମଣ ବା କଣ୍ଟେନମେଣ୍ଟ ଜୋନର ବାସିନ୍ଦା ହୋଇଥିବା କାରଣରୁ ପରୀକ୍ଷା ଦେଇପାରି ନଥିବା ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ ।
ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ୫୦ ପ୍ରତିଶତ ନମ୍ବର ରଖିବେ ସେମାନେ ଉତ୍ତୀର୍ଣ୍ଣ ହେଲେ ବୋଲି ଧରାଯିବ । କିନ୍ତୁ ମେଡିକାଲ ଓ ଡେଣ୍ଟାଲ କଲେଜଗୁଡ଼ିକର ସିଟ୍ ପାଇଁ ମେରିଟ-ଭିତ୍ତିକ କାଉନସେଲିଙ୍ଗ ହେବ ।
ସାରା ଦେଶରେ ୮୦,୦୫୫ଟି ଏମବିବିଏସ୍ ସିଟ୍ ଓ ୨୬୯୪୯ଟି ବିଡିଏସ୍ (ଡେଣ୍ଟିଷ୍ଟ୍ରି) ସିଟ୍ ଉପଲବ୍ଧ ରହିଛି । ଏହାଛଡ଼ା ଏମ୍ସର ୧୨୦୫ଟି ସିଟ୍, ଜିପମରର ୨୦୦ଟି ସିଟ୍, ୫୨୫ଟି ଭେଟନାରି ସିଟ୍ ଓ ୫୨,୭୨୦ଟି ଆୟୁଷ ସିଟ୍ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ପୂରଣ କରାଯାଉଛି ।
Comments are closed.