Odisha Link
Bridging the Missing Links in Odisha

ଦିଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ: କୋଲ୍‌ସ୍କାମ୍‌ରେ ଦିଲୀପ ରାଏଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଏନେଇ ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ। ଆଜି ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାଏଙ୍କୁ ସିବିଆଇ କୋର୍ଟ ଦେଇଥିବା ୩ ବର୍ଷର ଜେଲଦଣ୍ଡକୁ ସସପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୯ ଝାଡଖଣ୍ଡ କୋଲ୍ ବ୍ଲକ୍ ବଣ୍ଟନରେ ଅନିୟମିତତା ଅଭିଯୋଗରେ ସୋମବାର ସିବିଆଇ କୋର୍ଟ ଦିଲୀପଙ୍କୁ ଜେଲଦଣ୍ଡ ଶୁଣାଇଥିଲେ। ଜେଲ୍ ଦଣ୍ଡ ଶୁଣାଯିବାର କିଛି ସମୟ ପରେ ଦିଲୀପଙ୍କୁ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ସ୍ପେଶାଲ ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ପ୍ରକାଶ ଯେ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ ଦିଲୀପଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅକ୍ଟୋବର ୧୪ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ। ସିବିଆଇ ସ୍ବତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Comments are closed.