QRSAM ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପରୁ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ QRSAMର ସଫଳ ପରୀକ୍ଷଣ ହୋଇଛି। ଆଜି ଅପରାହ୍ନରେ ଏହି ପରୀକ୍ଷା କରାଯାଇଛି । ଖଞ୍ଜା ଯାଇଥିବା ରାଡ଼ାର ସିଷ୍ଟମରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପ୍ରାୟ ତିରିଶ କିଲୋମିଟର ଦୂରତା ମଧ୍ୟରେ ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ୍ କରିପାରିବ ।
ଏହାର ବେଗ ଶବ୍ଦର ବେଗଠାରୁ ପ୍ରାୟ 4.7 ଗୁଣ ଅଧିକ। QRSAM ମୋବାଇଲ ଲଞ୍ଚରରୁ ଉତ୍କ୍ଷେପଣ କରାଯାଇ ଜରୁରୀକାଳୀନ ସମୟରେ ଶତ୍ରୁ ପକ୍ଷ ଏୟାରକ୍ରାଫ୍ଟକୁ ଧ୍ୱଂସ କରାଯାଇ ପାରିବ। ଏହି ମିସାଇଲର ପ୍ରଥମ ପରୀକ୍ଷା 2017 ମସିହା ଜୁନମାସ 4 ତାରିଖରେ କରାଯାଇଥିଲା। କ୍ଷେପଣାସ୍ତ୍ରର ବିକଶିତ କରାଯାଇଥିବା ଲକ୍ଷ୍ୟଭେଦ ପରିସୀମାକୁ ଆଜିର ଅଷ୍ଟମ ପରୀକ୍ଷାରେ ଯାଞ୍ଚ କରାଯାଇଥିବା କୁହାଯାଉଛି।
ପ୍ରକାଶ ଯେ, କ୍ୱିକ ରିଆକ୍ସନ ସରଫେସ୍ ଟୁ ଏୟାର ମିଜାଇଲକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇ ଆସୁଛି। ଏହାକୁ ଭାରତ ଇଲେକ୍ରୋନିସ୍ ଲିଃ ଏବଂ ଭାରତ ଡାଇନାମିକ ଲିଃ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି । ଭାରତୀୟ ସେନା ସୁରକ୍ଷା ଏବଂ ଦେଶର ସାମରିକ ଶକ୍ତି ବିକଶିତ କରିବା ପାଇଁ ଏହାର ନିର୍ମାଣ କରାଯାଇଥାଏ।