Odisha Link
Bridging the Missing Links in Odisha

ଗୋ ସେବା ଓ ସୁରକ୍ଷା ପ୍ରତ୍ୟେକ ଭାରତୀୟଙ୍କ ମୌଳିକ କର୍ତ୍ତବ୍ୟ: ପ୍ରଜ୍ଞାନାନନ୍ଦ

ପୁରୀ: ଭାରତୀୟ ସଂସ୍କୃତି ହେଉଛି ଗୋ ସଂସ୍କୃତି। ଗୋବଂଶଙ୍କ ସେବା ଓ ସୁରକ୍ଷା ପ୍ରତ୍ୟେକ ଭାରତୀୟଙ୍କ ମୌଳିକ କର୍ତ୍ତବ୍ଯ। ଭାରତୀୟ ଗ୍ରାମୀଣ ସଂସ୍କୃତି, ପାରମ୍ପରିକ ଚଳଣି ଏବଂ ଗୋଆଧାରିତ ଜୀବନ ସହିତ ଗବ୍ୟପଦାର୍ଥର ଅଧିକରୁ ଅଧିକ ବ୍ୟବହାର ଦ୍ୱାରା ଜୀବନ ସରସ, ସୁନ୍ଦର ତଥା ମନ ନିର୍ମଳ ହୋଇପାରିବ। ଗୋବର ଓ ଗୋମୂତ୍ରର ବ୍ୟବହାର ଅଧିକ ହେଲେ ରୋଗ, ମହାମାରୀ ଓ ବିପର୍ଯ୍ୟୟ ପାଖ ମାଡିବନି। ବ୍ୟୟବହୁଳ ଯନ୍ତ୍ରର ବ୍ୟବହାର ଓ ରାସାୟନିକ ବିଷ ପ୍ରୟୋଗ ପରିବର୍ତ୍ତେ ଗୋସଂପଦକୁ କୃଷିକ୍ଷେତ୍ରରେ ଉପଯୋଗ କଲେ କମ୍ ଖର୍ଚ୍ଚ ସହିତ ଖାଦ୍ୟର ଗୁଣବତ୍ତା ବଢିବ। କେବଳ ଭାରତୀୟ ଦେଶୀ ଗୋବଂଶଙ୍କ ମାଧ୍ୟମରେ ହିଁ ସାମାଜିକ, ଅର୍ଥନୈତିକ,ଶୈକ୍ଷିକ ଉନ୍ନତି ଏବଂ ସ୍ୱାସ୍ଥ୍ୟରେ ସୁଧାର ଅଣାଯାଇପାରିବା ସହିତ ଆଧାତ୍ମିକତାର ବିକାଶ ସମ୍ଭବ ବୋଲି ଗୋଧାମ ପଥମେଡାରୁ ଗୋନବରାତ୍ର ମହୋତ୍ସବର ଉଦଯାପନ ଅବସରରେ ବାର୍ତ୍ତା ଦେଇଛନ୍ତି ଓଡିଶା ଗୋସେବା ସମିତିର ମୁଖ୍ୟ ମାର୍ଗ ଦର୍ଶକ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ।

ଗୋସେବା ମହୋତ୍ସବ ସମିତି ଏବଂ ଓଡିଶା ଗୋସେବା ସମିତି ଦ୍ୱାରା ଆୟୋଜିତ ଏହି ଗୋ ନବରାତ୍ର ମହୋତ୍ସବ ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୁଳମ୍ ପରିସରରେ ଥିବା ଗୁରୁ ଗୋବିନ୍ଦ ଗୋସେବାଶ୍ରମଠାରେ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଗିରି ଗୋବର୍ଦ୍ଧନ ପୂଜାରୁ ଆରମ୍ଭ ହୋଇ ପବିତ୍ର ଅଁଳା ନବମୀରେ ପୂର୍ଣ୍ଣାହୁତି ହୋଇଯାଇଛି। ଏ ଅବସରରେ ପ୍ରତ୍ୟହ ଗୋପୂଜନ ସହିତ ଗୋବର୍ଦ୍ଧନ ପୂଜା, ସୂର୍ଯ୍ୟ ପୂଜା, ଗୋ ଧାମ ପରିକ୍ରମା, ନାମ ସଂକୀର୍ତ୍ତନ, ସୁରଭିମନ୍ତ୍ର ଜପ, ଆଳତି ପୁଷ୍ପାଞ୍ଜଳି, ଗୋପାଳ ସହସ୍ରନାମ ପାଠ ଓ ଘୃତଯଜ୍ଞାଦି ସମ୍ପାଦିତ ହୋଇଥିଲା।

 

ଏ ଅବସରରେ ଗୋଶାଳାର ଗୋବଂଶଙ୍କୁ ସୁନ୍ଦର ଶୃଙ୍ଗାର କରାଯାଉଥିବା ବେଳେ ପ୍ରତ୍ୟେକ ଦିନ ଗାଈ, ବାଛୁରୀ, ବୃଷଭ ଓ ବଳଦମାନଙ୍କ ପାଇଁ ଗୋଭଣ୍ଡାରାର ଆୟୋଜନ କରାଯାଉଥିଲା। ଯଜ୍ଞେଶ୍ଵରୀ ରୂପରେ ପ୍ରାଚୀ ଗୋମାତା ପ୍ରତ୍ୟହ ପୂଜିତା ହେଉଥିଲେ। ପବିତ୍ର ଗୋପାଷ୍ଟମୀ ଅବସରରେ ବାଘ ଆଖଡା ମଠ ଗୋଚିକିତ୍ସାଳୟ , ବଗଲା ଧର୍ମଶାଳାରେ ଥିବା ଅବହେଳିତ ଗୋବଂଶ, ଲୋକନାଥ ମନ୍ଦିର ତଥା ବଡ଼ଦାଣ୍ଡରେ ବୁଲୁଥିବା ବୁଲା ଗୋରୁଗାଈଙ୍କୁ ଗୋଗ୍ରାସ ପ୍ରଦାନ କରାଯାଇଥିଲା।

ଗୋପାଷ୍ଟମୀ ଅବସରରେ ମହୋତ୍ସବର ସ୍ମରଣିକା ‘ଗୋମୁଖ’ ଉନ୍ମୋଚିତ ହେବା ସହିତ ଗୋଶାଳାରେ ସେବାରତ ଗୋପାଳମାନଙ୍କୁ ବସ୍ତ୍ର,କମ୍ବଳ, ଦକ୍ଷିଣା ଓ ମିଷ୍ଟାନ୍ନ ଆଦି ବଣ୍ଟନ କରାଯାଇଥିଲା। ଅଁଳା ନବମୀରେ ଅଁଳା ବୃକ୍ଷ ପୂଜନ ଓ ଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ବିଭିନ୍ନ ସାଧୁ,ସନ୍ୟାସୀ, ବ୍ରହ୍ମଚାରୀ, ଗୋଭକ୍ତ,ଗୋବିଶେଷଜ୍ଞ,ଗୋସେବକ ଆଦି ଏହି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଗୋସେବାବ୍ରତର ସଂକଳ୍ପ ନେଇଥିଲେ ।

Comments are closed.