Odisha Link
Bridging the Missing Links in Odisha

ଶ୍ରୀଜଗନ୍ନାଥଙ୍କ ପହଣ୍ଡି: ସୁସଜ୍ଜିତ ଟାହିଆ ଲଗାଇ ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ

ପୁରୀ: ଆରମ୍ଭ ହେଲା କାଳିଆ ସାଆନ୍ତଙ୍କ ପହଣ୍ଡି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ କରିଛନ୍ତି ମହପ୍ରଭୁ।

ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଯାଇଛି ପହଣ୍ଡି। ଧାଡ଼ି ପହଣ୍ଡିରେ ମହାପ୍ରଭୁ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛନ୍ତି ବଡ଼ଦାଣ୍ଡକୁ।

ବଡଦାଣ୍ଡରେ ଆଲଟ ଚାମର ସାଙ୍ଗକୁ ବାଜୁଛି ବିଜେ କାହାଳୀ। ଠାକୁରଙ୍କ ସାଙ୍ଗେ ଆସୁଛି ଧଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ପରେ ଆଗରେ ଚାଲିଛନ୍ତି ଶ୍ରୀବଳଭଦ୍ର ଏହାପଛକୁ ଦେବୀ ସୁଭଦ୍ରା ରଥାରୂଢ଼ ହୋଇସାରିଲେଣି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୧୨ଟା ୪୫ରୁ ଅପରାହ୍ନ ୨ଟା ମଧ୍ୟରେ ଛେରାପହଁରା ନୀତି ହେବ। ଅପରାହ୍ନ ୩ଟାରେ ରଥ ଟଣା ହେବ। ଚଳିତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରାର ଅନୁଷ୍ଠିତ ହେଉଛି। ତେଣୁ ସେବାୟତମାନେ ହିଁ ରଥକୁ ଟାଣିବେ । ପୁରୀରେ ଗତକାଲି ରାତି ୮ଟାରୁ କର୍ଫ୍ୟୁ ଲାଗୁ ହୋଇଛି। ଏହା ଆସନ୍ତାକାଲି ରାତି ୮ଟା ଯାଏଁ ଜାରି ରହିବ। ଘୋଷଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

Leave A Reply

Your email address will not be published.