Odisha Link
Bridging the Missing Links in Odisha

ତାଲିବାନର ନୂଆ ନିୟମ: ଏକାଠି ପାଠ ପଢିପାରିବେ ନାହିଁ ପୁଅ ଓ ଝିଅ

କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ପ୍ରଥମ ଫତଓ୍ବା ଜାରି କରିଛି ତାଲିବାନ। ବିଶ୍ବ ବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ।ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି। ନୂଆ ଫତଓ୍ବାରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନରେ ପୁଅ ଓ ଝିଅ ଏକାଠି ପାଠ ପଢିବା ସବୁ ‘ଅନର୍ଥର ମୂଳ।

ଏହି ନୂଆ ପ୍ରଥମ ଫତଓ୍ବା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ବ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇ ଦିଆଯାଇଛି।

ଗତ ରବିବାର ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା। ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାରଦିନ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସରିଆ କାନୁନ ଅଧିନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ।