ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରାଯିବା ଉଚିତ: ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଗାଈକୁ ଦେଶର ଜାତୀୟ ପଶୁ ଘୋଷଣା କରାଯାଉ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ ଏଥିସହ ଗୋମାତାକୁ ସୁରକ୍ଷା କରୁଥିବା ହିନ୍ଦୁଙ୍କୁ ମୌଳିକ ଅଧିକାର ମିଳୁ ବୋଲି ସେ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଗାଈକୁ ନେଇ ହିନ୍ଦୁ ସଂପ୍ରଦାୟର ଆସ୍ଥା ଜଡିତ, ଗାଈକୁ ଦେବଦେବୀ ଭଳି ଭାରତରେ ପୂଜା କରାଯାଏ। ବୈଦିକ, ପୌରାଣିକ, ସାଂସ୍କୃତିକ ଓ ଅର୍ଥନୀତି ସହ ଗାଈ ଓତଃପ୍ରୋତଃ ଭାବେ ଜଡିତ। ତେଣୁ ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରାଯିବା ଉଚିତ ବୋଲି ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ।
ଗୋହତ୍ୟା ମାମଲାରେ ଗିରଫ ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର ଜଣେ ମୁସଲମାନ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି ଖଣ୍ଡପୀଠ। ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ କହିଛନ୍ତି, କେବଳ ଗୋମାଂସ ଭକ୍ଷଣକାରୀଙ୍କ ମୌଳିକ ଅଧିକାର ଅଛି ତା ନୁହେଁ ଗାଈକୁ ଯେଉଁମାନେ ପୂଜା କରୁଛନ୍ତି ଓ ରୋଜଗାର ପାଇଁ ଗାଈ ଉପରେ ନିର୍ଭର କରୁଛନ୍ତି, ସେମାନଙ୍କୁ ଗାଈର ରକ୍ଷା କରିବା ପାଇଁ ମୌଳିକ ଅଧିକାର ମିଳିବା ଉଚିତ।
ଜ୍ୱିହାର ସ୍ୱାଦ ପାଇଁ, କାହାକୁ ହତ୍ୟା କରିବା କେବେ ବି ମୌଳିକ ଅଧିକାର ପରିସର ଭୁକ୍ତ କରାଯାଇ ପାରିବ ନାହିଁ। ତେଣୁ ଗାଈକୁ ଜାତୀୟ ପଶୁ ଘୋଷଣା କରାଯାଇ, ଗୋ ସୁରକ୍ଷାକୁ ହିନ୍ଦୁମାନଙ୍କ ମୌଳିକ ଅଧିକାର କରାଯିବା ଉଚିତ୍। ଏହା ସମସ୍ତେ ଜାଣନ୍ତି ଯେଉଁ ଦେଶର ସଂସ୍କୃତି ଓ ଆସ୍ଥା ଉପରେ ଆକ୍ରମଣ କରାଯାଏ ସେହି ଦେଶ କ୍ରମେ ଦୁର୍ବଳ ହୋଇଯାଏ। ତେଣୁ ଗାଈର କଲ୍ୟାଣରେ ହିଁ ଦେଶର କଲ୍ୟାଣ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ।