Odisha Link
Bridging the Missing Links in Odisha

ଶିକ୍ଷକଙ୍କଠୁ ବଟି ଆଦାୟ, ୨ ୱେବ ସାମ୍ବାଦିକ ଗିରଫ

ଉମରକୋଟ: ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗ। ଗିରଫ ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଫେରାର୍ ଅଛନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଘଟିଛି।

ଉମରକୋଟ ବ୍ଲକ ନାୟକଗୁଡାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ଗ୍ରାମର ଜଣେ ୧୦ ବର୍ଷର ନାବାଳକ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ। ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ନାବାଳକଙ୍କୁ ବାରଣ କରିବାରୁ ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅଭିଭାବକ ଜଣକ ତିନି ଜଣ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଡାକିଥିଲେ।

ଘଟଣାର ଖବର ପାଇ ଜିତେନ୍ଦ୍ର ଦାସ, ନିଗମ ସାହୁ ଏବଂ ଶଙ୍କର ତୁରୁକ ନାମକ ୩ ୱେବ ସାମ୍ବାଦିକ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ। ଉକ୍ତ ଘଟଣାର ସମାଧାନ କରିବା ପାଇଁ ସଂପୃକ୍ତ ଶିକ୍ଷକଙ୍କଠାରୁ ସେମାନେ ୫୦ ହଜାର ଟଙ୍କା ଦାବି କରିଥିଲେ। ସମ୍ପୃକ୍ତ ଶିକ୍ଷକଜଣକ ୩୫ ହଜାର ଟଙ୍କା ଦେଇଥିଲେ। ବାକି ୧୫ ହଜାର ଟଙ୍କା ପାଇଁ ଉକ୍ତ ସାମ୍ବାଦିକମାନେ ଧମକ ଚମକ ଦେବା ପରେ ଶିକ୍ଷକ ଜଣକ ଏନେଇ ଗତକାଲି ଥାନାରେ ଉକ୍ତ ତିନି ଜଣ ସାମ୍ବାଦିକଙ୍କ ସମେତ ଅଭିଭାବକ କମଳ ବଞ୍ଜାରାଙ୍କ ନାମରେ ଏତଲା ଦେଇଥିଲେ।

ଉମରକୋଟ ପୁଲିସ୍‌ ଘଟଣାର ତଦନ୍ତ କରି ଜିତେନ୍ଦ୍ର ଦାସ ଏବଂ ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ନିଗମ ସାହୁ ଫେରାର୍ ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ନରେଶ ପ୍ରଧାନ।

Leave A Reply

Your email address will not be published.