୨୭ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ ସଙ୍ଗଠନ

ଲକ୍ଷ୍ନୌ: ଭାରତ ବନ୍ଦ ଡାକରା ଦେଲେ ଚାଷୀ ସଙ୍ଗଠନ। ଆସନ୍ତା ୨୭ ତାରିଖରେ ସାରା ଦେଶରେ ଟ୍ରେନ୍ ଏବଂ ବସ୍ ଯାତ୍ରା ବନ୍ଦ ରହିବ ବୋଲି ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାୟତ, ନରେଶ ଟିକାୟତ, ୟୁନାଇଟେଡ କିଷାନ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ବହୁ ନେତା ଏକାଠି ହୋଇ ଆହ୍ବାନ ଦେଇଛନ୍ତି।
ଉତ୍ତରପ୍ରଦେଶର ମୁଜାଫରନଗରରେ ବିଭିନ୍ନ ଚାଷୀ ସଙ୍ଗଠନର ନେତା ଏକତ୍ର ହୋଇ ଏହି ବିଷୟ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନରେ ବିଜେପି ବିରୋଧରେ ଏହି ସଂଗଠନ ରାଲି କରିବ ବୋଲି ସେମାନେ ସୂଚନା ଦେଇଛନ୍ତି। କୃଷି ଆଇନ ତଥା ସେମାନଙ୍କର ସମସ୍ତ ଦାବି ପୂରଣ କରିବାକୁ ସେମାନେ ଦାବି ରଖିଛନ୍ତି।
କେନ୍ଦ୍ର ସରକାରଙ୍କ ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର ଦାବି ଏବଂ ଗତ ମାସ ହରିୟାଣାରେ କୃଷକଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ ବିରାଧରେ କୃଷକ ସଂଗଠନଗୁଡ଼ିକ ଆଜି ଉତ୍ତର ପ୍ରଦେଶର ମୁଜାଫରନଗରରରେ ମହାପଞ୍ଚାୟତ କରିଛନ୍ତି। ଚାଷୀ ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ଯେତେ ସମାବେଶ ହେଉଛି ଏହାଥିଲା ସବୁଠୁ ବଡ଼ ବୋଲି କୃଷକମାନେ କହିଛନ୍ତି।