Odisha Link
Bridging the Missing Links in Odisha

୯୨ ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର

ଭୁବନେଶ୍ବର: ନିଜ ସ୍ବରର ଯାଦୁରେ ଲୋକଙ୍କୁ ମତଓ୍ବାଲା କରୁଥିବା ସୁର ସମ୍ରାଜ୍ଞୀ କୋକିଳ କଣ୍ଠୀ ଭାରତ ରତ୍ନ ଲତା ମଙ୍ଗେସକର ଆଜି ଜନ୍ମଦିନ। ୯୨ ବର୍ଷରେ ପାଦ ଥାପିଲେ ଲତା ମଙ୍ଗେସକର। ଏବେ ବି ତାଙ୍କ ସୁମଧୁର ଗୀତ ଲୋକଙ୍କ ମନରୁ ଲିଭିନି। ଆଜିର ଦିନରେ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର।

ଲତା ମଙ୍ଗେସକର ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥାଏଟର ଆର୍ଟିଷ୍ଟ ଥିଲେ। ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା। ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ। ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର।

୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମାରଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ। ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର।

୧୯୬୩ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଦେଶାତ୍ମକ ଗୀତ ଏ ମେରେ ବତନ କେ ଲୋଗୋଁ ଅନେକ ଲୋକଙ୍କ ମନକୁ ଛୁଇଁଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବ ବିହ୍ୱଳ ହୋଇପଡିଥିଲେ। ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ପରେ ପରେ ଲତା ମଙ୍ଗେସକର ଲଗଜା ଗଲେ, ପ୍ୟାର କା ନଗମା, ସିସା ହୋୟା ଦିଲ, ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ। ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ କାଳଜୟୀ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର। କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧିଲାଭ କରିଛନ୍ତି।

Leave A Reply

Your email address will not be published.