Odisha Link
Bridging the Missing Links in Odisha

ଭୋଟ ଦେଉଛି ଝାରସୁଗୁଡ଼ା: ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮% ମତଦାନ

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତିି, ଝାରସୁଗୁଡ଼ାରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ। ଖରାକୁ ଦୃଷ୍ଟିରେ ରଖି ପ୍ରଶାସନର ବ୍ୟାପକ ବ୍ୟବସ୍ଥା ହୋଇଛି। ଏପର୍ଯ୍ୟନ୍ତ ୨୪,୩୯୮ ପୁରୁଷ, ୨୦,୭୮୫ ମହିଳା ଭୋଟ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି। ଏପର୍ଯ୍ୟନ୍ତ ୨୪ ହଜାର ୩୯୮ ଜଣ ପୁରୁଷ ଏବଂ ୨୦, ୭୮୫ ମହିଳା ଭୋଟ ଦେଇ ସାରିଛନ୍ତି। ସେହିପରି ୯ଟାରୁ ୧୧ଟା ମଧ୍ୟରେ ୨ ଭିଭିପାଟ୍‌ ଖରାପ ହୋଇଥିଲା। ସେହି ସ୍ଥାନରେ ସାମୟିକ ସମୟ ପାଇଁ ଭୋଟିଂ ପ୍ରକ୍ରିୟା ବନ୍ଦ ଥିଲା ବୋଲି କହିଛନ୍ତି।

ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସପରିବାର ଆସି ଗୁଜୁରାଟ କଲୋନୀରେ ହୋଇଥିବା ବୁଥରେ ମତଦାନ କରିଥିଲେ। ଏହାପରେ ସେ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ସମସ୍ତ ଗୁରୁଜନ, ମାଆ ଭଉଣୀ ଓ ଯୁବ ବନ୍ଧୁମାନେ ଭୋଟ୍ ଦିଅନ୍ତୁ ବୋଲି ଅପିଲ କରିଥିଲେ। ଏଥିସହିତ ଝାରସୁଗୁଡାରେ ଶାନ୍ତି ଓ ସୁଶାସନ ପାଇଁ ମତଦାନ ଦେବାକୁ ନିବେଦନ କରିଥିଲେ। ଏହାପରେ ପିଙ୍କ ବୁଥରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭୋଟ ଦେଇଥିଲେ। ସେ ମଧ୍ୟ ଭୋଟ ଦେବା ପରେ କହିଥିଲେ ଯେ, ଆଜି ମୋ ଓ ମୋ ପରିବାର ପାଇଁ ଭାବବିହ୍ବଳ ମୁହୂର୍ତ୍ତ। ଲୋକଙ୍କ ଭିତରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ଝାରସୁଗୁଡ଼ାର ବିକାଶ ପାଇଁ ଲୋକେ ଭୋଟ୍‌ ଦେଉଛନ୍ତି।ସମସ୍ତେ ଆସି ନିଜ ମତଦାନ ସାବ୍ୟସ୍ତ କରନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.