Odisha Link
Bridging the Missing Links in Odisha

ରତ୍ନ ସିଂହାସନକୁ ବାହୁଡ଼ିବେ ଶ୍ରୀଜିଉ; ଧାଡ଼ି ପହଣ୍ଡି ଆରମ୍ଭ

ଓଏଲ୍‌ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଏପଟେ ପ୍ରଭୁ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର ରଥରେ ବିରାଜମାନ ହୋଇସାରିଥିବା ବେଳେ ମା’ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି ନୀତି ଏବେ ଚାଲିଛି।

ରଥଯାତ୍ରା ସମୟରେ ନୀତିରେ ହୋଇଥିବା ବିଭ୍ରାଟକୁ ସୁଧାରି ସଅଳ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନିଆଯାଇଛି । ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ଲକ୍ଷ୍ୟ ରଖା ଯାଇଥିବା ବେଳେ ସକାଳ ୮ଟାରୁ ପହଣ୍ଡି ଆରମ୍ଭ ହୋଇଛି । ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ପରେ ଏବେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଭଉଣୀ ସୁଭଦ୍ରା।

ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ସଂପନ୍ନ ହେବ। ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ସେନାପଟା ଲାଗି ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ନୀତି ହେବ। ତା’ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ।

ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହେବେ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପୁଲିସ୍ ପ୍ରଶାସନ ଗୁରୁତ୍ୱ ଦେଇଛି।

Leave A Reply

Your email address will not be published.