Odisha Link
Bridging the Missing Links in Odisha

ବରଗଡ଼ ଲୋକସଭା ଆସନରେ ଜୋରଦାର ଲଢ଼େଇ; କାହାକୁ ଭରସା କରିବେ ଜନତା?

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି।ସାଧାରଣ ନିର୍ବାଚନ ପାଇଁ ଅଧିକାଂଶ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଯାଇଛି। ବରଗଡ଼ ଲୋକସଭା ଆସନ ପାଇଁ ପ୍ରଥମେ ବିଜେପି ନିଜ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ପରେ କଂଗ୍ରେସ ଓ ବିଜେଡି ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

ବରଗଡ଼ ଲୋକସଭା ଆସନ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ହାତକୁ ଚାଲିଯାଇଥିବାବେଳେ ଚଳିତ ଥର କିପରି ଏହି ଆସନକୁ ପୁଣି ବିଜେଡି ଅକ୍ତିଆର କରିବ ସେନେଇ ରଣନୀତି କରିଛି ଦଳ। ଚଳିତ ଥର ନୂଆ ଚେହେରା ସହିତ ମହିଳା କାର୍ଡ ଖେଳିଛି ବିଜେଡି। ବିଜେପିରୁ ଅସନ୍ତୋଷ ହୋଇ ଇସ୍ତଫା ଦେଇଥିବା ସୁଶାନ୍ତ ମିଶ୍ରଙ୍କ ସ୍ତ୍ରୀ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇ ବିଜେଡି ନିଜର ସାଂସଦ ପ୍ରାର୍ଥୀ କରିଛି। ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନସଭା ଆସନରେ ଟିକେଟ ନଦେଇ ଦଳ ବରଗଡ଼ ଲୋକସଭା ଆସନ ପାଇଁ ଟିକେଟ ଦେଇଛି।

ପ୍ରଦୀପ ପୁରୋହିତ ବରଗଡ଼ର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ତେବେ କଂଗ୍ରେସ ଦଳର ପୁରୁଣା ଚେହେରା ସଞ୍ଜୟ ଭୋଇଙ୍କୁ ଟିକେଟ ଦେଇଛି। ଯିଏକି ପୂର୍ବରୁ କଂଗ୍ରେସରେ ଥିବାବେଳେ ପରେ ବିଜେପିରେ ସାମିଲ ହୋଇଥିଲେ ଓ ପୁଣି କଂଗ୍ରେସକୁ ଫେରିଛନ୍ତି। ବରଗଡ ଲୋକସଭା ଆସନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଦଳ ଦୁଇ ଜଣ ଦକ୍ଷ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବାବେଳେ ବିଜେଡି ମହିଳା କାର୍ଡ ଖେଳିଛି। ବରଗଡ଼ ଲୋକସଭା ଆସନ ବରଗଡ ଜିଲ୍ଲାର ୫ଟି ଆସନ ସହିତ ଝାରସୁଗୁଡା ଏବଂ ବ୍ରଜରାଜନଗର ବିଧାନସଭା ଆସନକୁ ନେଇ ଗଠିତ। ତେବେ ଏଥର ବରଗଡ଼ ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.