Odisha Link
Bridging the Missing Links in Odisha

ଜନ୍ମଦିନରେ କୋହଲିଙ୍କ ‘ବିରାଟ’ ରେକର୍ଡ

ଓଏଲ୍‌ ବ୍ୟୁରୋ: ନିଜର ଜନ୍ମଦିନରେ ବିରାଟ କିର୍ତ୍ତୀମାନ ହାସଲ କଲେ ବିରାଟ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ରନ୍‌ ମେସିନ୍‌ ବିରାଟ କୋହଲି। କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡର ସମକକ୍ଷ ହେଲେ ବିରାଟ। ଏହି ଖାସ୍‌ ଉପଲବ୍ଧି ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ହାସଲ କରିଛନ୍ତି ବିରାଟ।

ବିଶ୍ବକପ୍‌ ୨୦୨୩ର ୩୭ ତମ ମୁକାବିଲା ଆଜି ଇଡେନ ଗାର୍ଡେନରେ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯାଉଛି। ଜନ୍ମଦିନରେ କ୍ୟାରିଅରର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି। ବିରାଟ ହାସଲ କରିଛନ୍ତି ତାଙ୍କ ଦିନିକିଆ କ୍ୟାରିୟରର ୪୯ମ ଶତକ। ସଚିନ ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିଲେ। କିନ୍ତୁ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଯାଇଛନ୍ତି। ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଏବେ ସଚିନ ଓ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି।

ଏକଦା ବିଶ୍ବର ମହାନ କ୍ରିକେଟ୍‌ ସମୀକ୍ଷକମାନେ କହୁଥିଲେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେବା କୌଣସି ଖେଳାଳି ପକ୍ଷରେ ଅସମ୍ଭବ ଏବଂ କଷ୍ଟକର। କିନ୍ତୁ ଏହାକୁ ଭୁଲ୍‌ ପ୍ରମାଣିତ କରି ସଚିନ୍‌ଙ୍କ ଦିନିକିଆ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ। ସଚିନ୍‌ କିନ୍ତୁ କହିଥିଲେ ଯଦି ତାଙ୍କ ରେକର୍ଡ କିଏ ଭାଙ୍ଗିବାକୁ ସକ୍ଷମ, ସେ ହେଉଛନ୍ତି କୋହଲି। ଆଉ ଆଜି ସଚିନ୍‌ଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି।

ବିରାଟ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ୪୯ତମ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି। ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି। ତେବେ ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ଆଜି ୭୯ରେ ପହଞ୍ଚି ଯାଇଛି।

Leave A Reply

Your email address will not be published.