Odisha Link
Bridging the Missing Links in Odisha

୧୦ ବର୍ଷରେ ବନ୍ଦ ହେଲାଣି ୭୪୭୮ଟି ସ୍କୁଲ, ୪୨୬ଟି ପଞ୍ଚାୟତରେ ନାହିଁ ହାଇସ୍କୁଲ

ଓଏଲ୍‌ ବ୍ୟୁରୋ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଏସବୁ ମଧ୍ୟରେ ଏଭଳି ଏକ ଖବର ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ କରିବାରେ ଲାଗିଛନ୍ତି। ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୭୪୭୮ଟି ସରକାରୀ ସ୍କୁଲକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିସାରିଛନ୍ତି। ଏହି ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ସହ ନିକଟସ୍ଥ ସ୍କୁଲରେ ମିଶ୍ରଣ କରାଯାଇଛି। ବିଶେଷଭାବେ ସ୍କୁଲ ଚାଲିବା ପାଇଁ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ।

ଆଦିବାସୀବହୁଳ ଜିଲ୍ଲା ଗଜପତିରେ ସର୍ବାଧିକ ୬୦୪ଟି ସ୍କୁଲ, ମୟୂରଭଞ୍ଜରେ ୫୩୬ଟି ଓ କନ୍ଧମାଳ ଜିଳ୍ଲାରେ ୪୬୦ଟି ସରକାରୀ ସ୍କୁଲକୁ ବନ୍ଦ କରାଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ଦେଇ ଶ୍ରୀ ମାର୍ଣ୍ଡି କହିଛନ୍ତି, ୨୦୧୨-୧୩ରୁ ୨୦୨୨-୨୩ ମସିହା ମଧ୍ୟରେ ମୋଟ ୭୪୭୮ଟି ସରକାରୀ ସ୍କୁଲକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଇଛି। ବନ୍ଦ ହୋଇଥିବା ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନିକଟସ୍ଥ ସ୍କୁଲରେ ନିୟୋଜିତ କରାଯାଇଛି।

ପୁରୀ ଜିଲ୍ଲାରେ ସର୍ବନିମ୍ନ ୫୦ଟି ସ୍କୁଲ, ଦେବଗଡ଼ରେ ୯୬ଟି ସ୍କୁଲ, କେନ୍ଦୁଝରରେ ୧୦୦ଟି ସ୍କୁଲ, ମାଲକାନଗିଗିରିରେ ୧୨୨ଟି, ଝାରସୁଗୁଡ଼ାରେ ୧୧୪ଟି ସ୍କୁଲ, ବାଲେଶ୍ୱରରେ ୧୨୩ଟି ସ୍କୁଲକୁ ବନ୍ଦ କରାଯାଇଛି। କଟକ ଜିଲ୍ଲାରେ ୫୨୯ଟି, ବାଲେଶ୍ୱର ଜିଲ୍ଲାରେ ୧୨୩ଟି, ଗଞ୍ଜାମ ଜିଳ୍ଲାରେ ୪୯୩ଟି ସ୍କୁଲ, କୋରାପୁଟ ଜିଲ୍ଲାରେ ୪୨୫ଟି ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟର ମୋଟ ୭୯୯୮ଟି ପଞ୍ଚାୟତରେ ୮୦୯୯ଟି ହାଇସ୍କୁଲ ଥିବାବେଳେ ୪୨୬ଟି ପଞ୍ଚାୟତରେ ବିଲକୁଲ ହାଇସ୍କୁଲ ନାହିଁ। ଯଦିଓ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ହାଇସ୍କୁଲ ଖୋଲିବା ପାଇଁ ସରକାର ଘୋଷଣା କରିଥିଲେ। ରାଜ୍ୟରେ ବର୍ତ୍ତମାନ ସମୟରେ ମୋଟ ୫୨୮୦୭ଟି ସ୍କୁଲ ରହିଛି। ସେଥିରେ ୪୬୯୫୭ଟି ସରକାରୀ ସ୍କୁଲ ଓ ୫୮୫୦ଟି ସରକାରୀ ଅନୁଦାନ ଓ ବ୍ଲକଗ୍ରାଣ୍ଟ ସ୍କୁଲ ରହିଛି।

Leave A Reply

Your email address will not be published.