Odisha Link
Bridging the Missing Links in Odisha

ଆଜିଠୁ ପଞ୍ଚୁକ ଆରମ୍ଭ; ମନ୍ଦିରରେ ପ୍ରବଳ ଭିଡ଼

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଲା କାର୍ତ୍ତିକ ମାସ। ଆଜିଠୁ ଆରମ୍ଭ ହେଲା ପଞ୍ଚୁକ। ଏଥିପାଇଁ ବିଭିନ୍ନ ଦେବାଳୟରେ ଭିଡ଼ ଲାଗି ରହିଛି। ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ଆଜି ବଡ଼ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ।

ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପମାଲ୍ୟ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ସେହିପରି ଦ୍ୱାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଓ ପୂର୍ଣ୍ଣିମୀରେ ରାଜରାଜେଶ୍ୱରୀ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏଁ ବ୍ୟାରିକେଟ ବଢାଯାଇଛି।

ଆଜି ପହିଲି ପଞ୍ଚୁକ ଥିବାବେଳେ ଆସନ୍ତା ଶନିବାର ବଡ଼ ଓଷା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାନ୍ତି।

ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ,ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା।

Leave A Reply

Your email address will not be published.