Odisha Link
Bridging the Missing Links in Odisha

ଟନେଲ ଭିତରୁ ଆସିବ ସୁସମ୍ବାଦ; ଖୁବଶୀଘ୍ର ଉଦ୍ଧାର ହେବେ ଶ୍ରମିକ!

ଓଏଲ୍‌ ବ୍ୟୁରୋ: ହଟିବ ଟନେଲର ଅନ୍ଧାର ଆଉ ବଞ୍ଚିବ ୪୧ ଜୀବନ। ଆଶା ଆଉ ଆଶଙ୍କା ମଧ୍ୟରେ ଆଉ ମାତ୍ର କିଛି ସମୟର ଅପେକ୍ଷା। ଟନେଲରୁ ଉଦ୍ଧାର ପାଇଁ ଆଉ କିଛି କ୍ଷଣର ଅପେକ୍ଷା ରହିଥିବାବେଳେ ଟନେଲ ଭିତରକୁ ପଶିଲେ ଏନଡିଆରଏଫ ଏବଂ ଆମ୍ବୁଲାନ୍ସ। ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କଲା।

ଟନେଲ ତଳେ ୪୧ ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟ ୫ ଓଡ଼ିଆ ରହିଛନ୍ତି। ଘଟଣା ସ୍ଥଳରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ପହଂଚିଛନ୍ତି। ଟନେଲରୁ ୪୧ ଶ୍ରମିକଙ୍କୁ ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଅଣାଯିବ। ଶ୍ରମିକଙ୍କ ପାଇଁ ପ୍ରସ୍ତୁତ ଅଛି ଚିନ୍ୟାଲିସୌର ହେଲ୍ଥ ସେଣ୍ଟର। ସୁଡ଼ଙ୍ଗ ଭିତରେ ଅସ୍ଥାୟୀ ଚିକିତ୍ସାଳୟ ପ୍ରସ୍ତୁତ ହୋଇଛି।

ଉଦ୍ଧାର ପରେ ଶ୍ରମିକମାନଙ୍କୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ନିଆଯିବ। ଏନ୍‌ଡିଏମ୍‌ଏ ସଦସ୍ୟ ସୟଦ ଅତା ହୁସନେନ୍‌ ସୂଚନା ଦେଇଛନ୍ତି। ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ବଡ଼ ହସ୍ପିଟାଲ ପଠାଯିବ। ଆବଶ୍ୟକସ୍ଥଳେ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ। ଏୟାରଲିଫ୍ଟ ପାଇଁ ବାୟୁସେନା ଚିନୁକ୍‌ ହେଲିକପ୍ଟର ପ୍ରସ୍ତୁତ ଅଛି।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଭିଡିଓ କ୍ୟାମେରାରେ ଶ୍ରମିକଙ୍କ ଛବି ଆସିଥିଲା। ବାହାରକୁ ଆସିବା କେବଳ ବାକି ରହିଛି। ସାଢ଼େ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲର ୨୬୦ ମିଟର ପରେ ୪୧ ଶ୍ରମିକ ଫସି ରହିଛନ୍ତି। ମୁହଁ ଠାରୁ ୨୦୦ ମିଟର ପରେ ଭୁଶୁଡ଼ି ପଡ଼ିଥିଲା ଟନେଲ। ୬୦ ମିଟର ପର୍ଯ୍ୟନ୍ତ ଟନେଲ ପୋତି ହୋଇ ଯାଇଥିଲା। ଫଶିରହିଥିବା ଶ୍ରମିକଙ୍କଠୁ ଆଉ ୪ ମିଟର ଦୂରତା ରହିଛି। ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା।

ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସୂଚନା ଆସିଛି। ଘଟଣାସ୍ଥଳରେ ୪୧ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ଡାକ୍ତରଖାନାରେ ୪୧ଟି ବେଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ କରି ରିଷିକେଶ ଏମ୍ସକୁ ନିଆଯିବ।

Leave A Reply

Your email address will not be published.