Odisha Link
Bridging the Missing Links in Odisha

ବାତ୍ୟା ‘ମିଗ୍‌ଜାଉଁ’ ଆଣୁଛି ପ୍ରବଳ ବର୍ଷା; ଓଡ଼ିଶାରେ ଆଜିଠୁ ବଦଳିବ ପାଗ

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଗ୍‌ଜାଉଁ’। ସୁଦୃଶ ଲଘୁଚାପ ଗଭୀର ଆବପାତରେ ପରିଣତ ହୋଇଛି। ରବିବାର ଗଭୀର ଅବପାତ ବାତ୍ୟାର ରୂପ ନେବାକୁ ଯାଉଛି। ୫ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିପାରେ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଛି।

ବାତ୍ୟା ‘ମିଗ୍‌ଜାଉଁ’ ଆସୁଥିବାରୁ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ହାଇଆଲର୍ଟ ଜାରି କରାଯାଇଛି। ଏବେ ଠାରୁ ହିଁ ଚେନ୍ନାଇ ଠାରୁ ଆରମ୍ଭ କରି ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଗଭୀର ଅବପାତଟି ପୁଡୁଚେରୀ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୪୪୦ କିମି ଓ ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୪୨୦ କିମି ଦୂରରେ ରହିଛି। ଗଭୀର ଅବପାତ ଏଠାରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପହଞ୍ଚିବ।

ପାଣିପାଗ ବିଭାଗର ଆକଳନ କହୁଛି ଯେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପପୁରରେ ୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ମଧ୍ୟରେ ରହିପାରେ। ବେଳେ ବେଳେ ୫୫ କିଲୋମିଟର ବେଗରେ ପବନ ବହିବ। ୫ ତାରିଖରେ ପବନ ସାମାନ୍ୟ ବଢ଼ିବ ( ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର) ଓ କେବେକେବେ ୬୦ କିଲୋମିଟର ଛୁଇଁପାରେ। ଏହା ପରେ ପବନ କମିବ। ସେହିଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ାର ଲୋକେ ସର୍ବାଧିକ ଘଣ୍ଟାପ୍ରତି ୫୦ କିଲୋମିଟର ପର୍ଯ୍ୟନ୍ତ ପବନ ଅନୁଭବ କରିପାରନ୍ତି। କିନ୍ତୁ ୬ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ।

Leave A Reply

Your email address will not be published.