Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ଟାଇଗର ଚମ୍ପାଇ ସୋରେନ ହେବେ ନୂଆ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଇଡି ଆଜି ଅପରାହ୍ନ ୩ଟାରୁ ହେମନ୍ତଙ୍କୁ ଜେରା ଆରମ୍ଭ କରିଥିଲା। ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଇଡିର ଅଧିକାରୀମାନେ ବାହାରି ଯାଇଛନ୍ତି। ଜେରା ଶେଷ ହେବା କ୍ଷଣି ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ।

ଇଡିର ଅଧିକାରୀମାନଙ୍କ ସହ ହେମନ୍ତ ରାଜଭବନ ଯାଇ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଜେଏମଏମ ସହ ଶାସକ ମେଣ୍ଟରେ ଥିବା କଂଗ୍ରେସ ଓ ବାମପନ୍ଥୀ ଦଳର ବିଧାୟକମାନେ ରାଜଭବନରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଚମ୍ପାଇ ସୋରେନ ବିଧାୟକ ଦଳର ନେତା ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଛି।

ସୂଚନାଥାଉକି, ଚମ୍ପାଇ ସୋରେନ ଝାଡ଼ଖଣ୍ଡର ଏକାଧିକ ମନ୍ତ୍ରୀପଦ ସମ୍ଭାଳି ସାରିଛନ୍ତି। ସେ ପରିବହନ, ଅନୁସୂଚିତ ଜନଜାତି ଓ ଜନଜାତି, ପଛୁଆ କଲ୍ୟାଣ ବର୍ଗ ମନ୍ତ୍ରୀ ରହିସାରିଛନ୍ତି। ସେହିପରି ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଉପାଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ଷଢେଇକଳା ଆସନରୁ ସେ ବର୍ତ୍ତମାନ ବିଧାୟକ ରହିସାରିଛନ୍ତି। ସୋରେନଙ୍କ ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ତଥା ନିକଟତମ ସହଯୋଗୀ ଚମ୍ପାଇ ବୋଲି ଜଣାଯାଆନ୍ତି। ଏହା ବ୍ୟତୀତ ସେ ଝାଡ଼ଖଣ୍ଡର ଟାଇଗର ଭାବେ ବେଶ ଜଣାଶୁଣା।

Leave A Reply

Your email address will not be published.