Odisha Link
Bridging the Missing Links in Odisha

ଆରମ୍ଭ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ମିଳିଲା ଭାଷା ସମ୍ମାନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଫେବ୍ରୁଆରୀ ୩ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଣ୍ଣାଢ଼୍ୟ ମହାକୁମ୍ଭର ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ଜୀବନ ବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡ଼ିଆ ସମ୍ମାନରେ ସମ୍ମାନିତ କରିଛନ୍ତି। ପୁରସ୍କାର ବାବଦରେ ତାଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି।

ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ମହାକୁମ୍ଭର ଉଦଘାଟନ କରିଛନ୍ତି। ଭୁବନେଶ୍ବର ଜନତା ମଇଦାନରେ ଆସନ୍ତା ୫ ତାରିଖ ଯାଏଁ ଚାଲିବ ସମ୍ମିଳନୀ। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି। ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରହିଛି ମୋଟ ୧୭ଟି ଅଧିବେଶନ।

ସମ୍ମିଳନୀ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ଅକ୍ଷରଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍କଳ ମଣ୍ଡପରେ ଉଦଘାଟିତ ହୋଇଛି ଅକ୍ଷର କାର୍ଯ୍ୟକ୍ରମ।

ଡକ୍ଟର ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ଡକ୍ଟର ପଟ୍ଟନାୟକ ବେଶ୍ ସୁପରିଚିତ। ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଡକ୍ଟର ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି। ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ଡକ୍ଟର ପଟ୍ଟନାୟକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ଡକ୍ଟର ପଟ୍ଟନାୟକଙ୍କ ବହୁମୂଲ୍ୟ ଅବଦାନ ସର୍ବଜନବିଦିତ।

ଭାରତୀୟ ଭାଷା ପରିଷଦର ସଭାପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଭାଷା ବିଭାଗର ପୂର୍ବତନ ପ୍ରଫେସର ଜି ଉମା ମହେଶ୍ଵର ରାଓ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ ସ୍ଵାଇଁ ଏବଂ କେନ୍ଦ୍ର ଶିକ୍ଷା ବିଭାଗର ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ କମିଟି ସର୍ବସମ୍ମତି କ୍ରମେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିଶ କରିଥିଲେ।

Leave A Reply

Your email address will not be published.