Odisha Link
Bridging the Missing Links in Odisha

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଦିନ ୧୧ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ଆହ୍ବାନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଓଡ଼ିଶା ସରକାର କରିଛନ୍ତି ଭବ୍ୟ ଆୟୋଜନ। ଆଜି ଦିନ ୧୧ଟା ସମୟରେ ଓଡ଼ିଆ ଭାଷା ମହାକୁମ୍ଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ହେଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ବର ଜନତା ମଇଦାନରେ ଭାଷାର ମହାକୁମ୍ଭ ପାଇଁ ସାରା ରାଜ୍ଯରେ ଉତ୍ସୁକତା। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେଉଥିବାବେଳେ ସେମାନେ ନିଜ ନିଜର ମୂଲ୍ଯବାନ ମତ ରଖିବେ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ମହାକୁମ୍ଭର ଉଦଘାଟନ କରିବେ। ଭୁବନେଶ୍ବର ଜନତା ମଇଦାନରେ ଆସନ୍ତା ୫ ତାରିଖ ଯାଏଁ ଚାଲିବ ସମ୍ମିଳନୀ। ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରହିଛି ମୋଟ ୧୭ଟି ଅଧିବେଶନ।

ସମ୍ମିଳନୀ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ଅକ୍ଷରଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍କଳ ମଣ୍ଡପରେ ଉଦଘାଟିତ ହୋଇଛି ଅକ୍ଷର କାର୍ଯ୍ୟକ୍ରମ।

ଜି ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅପିଲ୍ କରାଯାଇଛି। ଭାଷା ଆଧାରରେ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଛି ଓଡିଶା। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହ ସରକାରୀ ଭାଷା ଭାବେ ବ୍ୟବହାର କରାଯାଉଛି। ଓଡିଆ ଭାଷା କାହିଁକି ଉତ୍କୃଷ୍ଟ, କିପରି ଓଡିଆ ଭାଷା ସବୁଠୁ ସମୃଦ୍ଧ, ଏ ବାବଦରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ। ବରପୁତ୍ରଙ୍କ ନାମରେ ସମ୍ମିଳନୀ କକ୍ଷ, ସ୍ଵତନ୍ତ୍ର ପ୍ରଦର୍ଶନୀ, ବିଭିନ୍ନ ପ୍ରସଙ୍ଗରେ ବିଶେଷ ଆଲୋଚନା ହେବ।

Leave A Reply

Your email address will not be published.