Odisha Link
Bridging the Missing Links in Odisha

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିନ; ଆରମ୍ଭ ହେଲା ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା

ଓଏଲ୍‌ ବ୍ୟୁରୋ: ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିନ। ତିନିଦିନିଆ ମହାଉତ୍ସବର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ରହିଛି। ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଚକ୍ରରେ ସୁବ୍ରତ ବାଗଚୀ କହିଛନ୍ତି, ଜାତି ଗଢ଼ିବାକୁ ହେଲେ ସ୍ବପ୍ନ ଦେଖିଲେ ହେବନି। ସ୍ବପ୍ନ ପୂରଣ କରିବାକୁ ଦମ୍ଭ ଦରକାର। ସ୍ବପ୍ନକୁ ସାକାର କରିବାକୁ ହେବ।

ଏହି ଅବସରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି, ପୁଞ୍ଜି ପାଇବାରେ ଆମେ ସବୁଠୁ ତଳେ ଥିଲୁ। ଏବେ ପୁଞ୍ଜି ଆଣିବାରେ ଓଡ଼ିଶା ୨ ନମ୍ବରରେ ଅଛି। ଜେଏସଡବ୍ଲୁ ସହ ଚୁକ୍ତି ସ୍ବାକ୍ଷର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି। ବିଶ୍ବର ବଡ଼ ଷ୍ଟିଲ ପ୍ଲାଣ୍ଟ ନିପ୍ପନର ନିବେଶ ଆସିଛି। ସବୁଜ ଆମୋନିଆ ପ୍ରୋଜେକ୍ଟ ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି।

ଏହା ସହ ୨୦୩୬ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ହେବାର ଲକ୍ଷ୍ୟ ରଖାଯାଇଛି। କୌଣସି ପ୍ଲାନିଂ ପାଇଁ ଅତି କମରେ ୨ ବର୍ଷ ଦରକାର। ୨୦୧୯ ପରେ ବଡ଼ ପରିବର୍ତ୍ତନ ଆସିଛି। ପରିବର୍ତ୍ତନର ନାମ ହେଲା ରୂପାନ୍ତରଣ। ୨୦୦୦ରେ ଓଡ଼ିଶାର ଗରିବୀ ୬୮ ପ୍ରତିଶତ ଥିଲା। ୨୦୨୩ରେ ଏହା ୧୧ ପ୍ରତିଶତକୁ ଖସି ଆସିଛି। ଓଡ଼ିଶା ଏବେ ସର୍ବନିମ୍ନ ବେକାରୀ ଥିବା ରାଜ୍ୟ। କଟକ ଚୌଦ୍ବାର ଆସୁଛନ୍ତି ଓ୍ବିଲସନ୍ କମ୍ପାନୀ। ଏହାଦ୍ବାରା ପିଲାମାନେ ରୋଜଗାର ପାଇବେ। କିଛି ବର୍ଷ ଭିତରେ କଟକ ଏସସିବି ହେବ ସବୁଠୁ ବଡ଼ ମେଡିକାଲ। ବାହାର ଲୋକ ଚିକିତ୍ସା ପାଇଁ ଏସସିବିକୁ ଆସିବେ।

ଶିକ୍ଷା କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି। ସବୁ ହାଇସ୍କୁଲରେ ରୂପାନ୍ତରଣ ହୋଇସାରିଛି। ଖାଦ୍ୟ ପାଇଁ ଆମେ ଅନ୍ୟ ଉପରେ ନିର୍ଭର କରୁଥିଲୁ। ୨୦୦୦ ମସିହାରେ ଆମେ ପଞ୍ଜାବ ଉପରେ ନିର୍ଭର କରୁଥିଲୁ। ୨୦୧୭-୧୮ରୁ ଓଡ଼ିଶାର ଶସ୍ୟ ବାହାର ରାଜ୍ୟକୁ ଯାଉଛି ବୋଲି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି।

ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ସଂସ୍କୃତି ଏବଂ ଐତିହ୍ୟ, ରାଜ୍ୟର ସୁକ୍ଷ୍ମଶକ୍ତି, ବ୍ଯାସକବି ଫକୀରମୋହନ ସେନାପତି କକ୍ଷରେ ଅନୁବାଦ, ଓଡ଼ିଆରୁ ଏବଂ ଓଡ଼ିଆକୁ ଏବଂ ପ୍ରକୃତି କବି ଗଙ୍ଗାଧର ମେହେର ସମ୍ବର୍ଦ୍ଧନା କକ୍ଷରେ ବିଜ୍ଞାନର ଭାଷା ଭାବେ ଓଡ଼ିଆ ପ୍ରସଙ୍ଗରେ ସାରଗର୍ଭ ଆଲୋଚନା କରାଯିବ।

ଏହା ସହ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ଲିପିର ସୁଦୀର୍ଘ ପରମ୍ପରା ଓ ଇତିହାସକୁ ନେଇ ପ୍ରାୟ ୨୫୦ ପୃଷ୍ଠା ସମ୍ବଳିତ ଏକ ଆଧୁନିକ ଚିତ୍ରପୋଥି ପ୍ରକାଶ ପାଉଛି। ପ୍ରଥମ ଥର ପାଇଁ ଗୋଟିଏ ଭାଷାର ଜୟଯାତ୍ରାକୁ ନେଇ ପ୍ରସ୍ତୁତ ଏକ ଦ୍ବିଭାଷୀ ପୁସ୍ତକ ଉନ୍ମୋଚନ ହେବ।

Leave A Reply

Your email address will not be published.