Odisha Link
Bridging the Missing Links in Odisha

ପରିବହନ ବ୍ୟବସ୍ଥାରେ ସୁଦୃଢ଼ତା; ରାଜ୍ୟର ସବୁ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍‌

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍ଷ୍ମୀ ବସ୍‌ ରାଜ୍ୟର ସବୁ ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ। ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ।

ଆଜି ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ବସ୍‌ ଚାଲିଲା ଏବଂ ଏହା ଦ୍ୱାରା ୭୧ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ। ବାଲେଶ୍ୱର ଜିଲ୍ଲାର ୩୧୫ଟି ପଞ୍ଚାୟତରେ ୪୮ଟି ବସ୍‌ ଚାଲିଲା ଓ ୨୦ଲକ୍ଷ ୪୨ ହଜାର ଲୋକ ଉପକୃତ ହେଲେ। ନୂଆପଡାର ୧୨୩ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଲା ଓ ୫ ଲକ୍ଷ ୭୪ ହଜାର ଲୋକ ଉପକୃତ ହେଲେ। ବୌଦ୍ଧର ୫୫ଟି ପଞ୍ଚାୟତରେ ୧୦ଟି ବସ୍‌ ଚାଲିଲା ଏବଂ ୩ ଲକ୍ଷ ୫୩ ହଜାର ଲୋକ ଉପକୃତ ହେଲେ। ଗଞ୍ଜାମର ୪୩୩ଟି ପଞ୍ଚାୟତରେ ୧୩୦ଟି ବସ୍‌ ଚାଲିଲା ଏବଂ ୩୪ ଲକ୍ଷ ୪୭ ହଜାର ଲୋକ ଉପକୃତ ହେଲେ। ସେହିପରି ଜଗତସିଂହପୁରର ୧୩୧ଟି ପଞ୍ଚାୟତରେ ୪୨ଟି ବସ୍‌ ଚାଲିବା ସହିତ ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହେଲେ।

ସୂଚନାଯୋଗ୍ୟ ଯେ ରାଜ୍ୟର ସବୁ ପଞ୍ଚାୟତରେ ସମୁଦାୟ ୧୭୪୫ଟି ବସ୍‌ ଚାଲିବ। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ଏହା ଦ୍ୱାରା ଆଜି ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚଳାଚଳ ଆରମ୍ଭ କରିଛି। ସମୁଦାୟ ୩୦ଟି ଜିଲ୍ଲାରେ ୧୩୫୪ଟି ବସ୍‌ ଚାଲିବା ଆରମ୍ଭ କରିଛି ଏବଂ ଏହା ଦ୍ୱାରା ୬୦୩୧ଟି ପଞ୍ଚାୟତର ୩.୬୪ କୋଟି ଲୋକ ଉପକୃତ ହୋଇଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ। ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ। ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି। ସେ ପୁଣି କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.