Odisha Link
Bridging the Missing Links in Odisha

କଣ୍ଟିଲୋକୁ ଏନ୍‌ଏସି ମାନ୍ୟତା, ଘୋଷଣା କଲେ ସରକାର

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା କଣ୍ଟିଲୋବାସୀଙ୍କ ପାଇଁ ଖୁସି ଖବର। କାରଣ କଣ୍ଟିଲୋକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ମାନ୍ୟତା। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାଫଳରେ ନୟାଗଡ଼ ଜିଲ୍ଲାରେ ଏନ୍‌ଏସି ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଜିଲ୍ଲାର ଖଣ୍ଡପଡ଼ା, ରଣପୁର, ଓଡ଼ଗାଁ, ଦଶପଲ୍ଲାକୁ ଏନ୍‌ଏସି ମାନ୍ୟତା ମିଳିଥିଲା। ଆଉ ଏବେ କଣ୍ଟିଲୋକୁ ସହର ମାନ୍ୟତା ମିଳିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯାଇଥିବା ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୁରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି ଏବଂ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମୁନିସିପାଲିଟି ମାନ୍ୟତା ମିଳିଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା – ଅନୁଗୁଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.