ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ; ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ

ଓଏଲ୍ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ। ଫେବୃଆରୀ ୨୦ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହେବ। ଶେଷ ଦିନରେ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ଆଜି ପରୀକ୍ଷା ଶେଷ ହେବା ପରେ ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ। ସେହିଭଳି ପରୀକ୍ଷାକୁ ସ୍ୱଚ୍ଛଳ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି। ଏହା ସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଯୋଗେ ସିଧାପ୍ରସାରଣ କରାଯାଇଛି।
ଅନ୍ୟପଟେ, ଦେଶର ପ୍ରଥମ ବୋର୍ଡ ଭାବେ ଏଆଇ ଲାଗୁ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ହଲରେ ବ୍ୟତିକ୍ରମ ଚିହ୍ନଟ କରି କଣ୍ଟ୍ରଲ ରୁମ୍କୁ ଆଲର୍ଟ ଦେବ। ଏଆଇ ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର। ପରୀକ୍ଷା କେନ୍ଦ୍ରର ଗେଟରେ ଚଳପ୍ରଚଳ ଠାବ କରିବ। ପରୀକ୍ଷା ହଲରେ ଡେସ୍କ ଓ ବେଞ୍ଚ ଠିକ୍ ନଥିଲେ ଧରିବ। ସିସିଟିଭି ଟାମ୍ପର ଓ ଅଫଲାଇନ ହେଲେ ଏଆଇ ଧରିବ।
ଇନଭିଜିଲେଟର ହଲରେ ନବୁଲିଲେ ଏଆଇ ଧରିବ। ପ୍ରଶ୍ନପତ୍ର ଖୋଲିବା ରୁମରେ ଅଧିକ ଲୋକ ରହିଲେ ଧରିବ। ପରୀକ୍ଷା ହଲରେ ବିଶୃଙ୍ଖଳା ହେଲେ ଏଆଇ ଧରିବ। ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ଧରିବା ସହ ଦୀର୍ଘ ସମୟ ଧରି ସିସିଟିଭି ଅକାମି ରହିଲେ ଏଆଇ ନଜର ରଖିବ।