Odisha Link
Bridging the Missing Links in Odisha

IND vs ENG: ଆଜିଠୁ ୫ମ ଟେଷ୍ଟ, ସମୁଦ୍ର ପତନଠୁ ୫ହଜାର ଫୁଟ୍‌ ଉଚ୍ଚତାରେ ଅଶ୍ବିନୀ ଲେଖିବେ ନୂଆ ଇତିହାସ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଶେଷ ମ୍ୟାଚ୍। ଧର୍ମଶାଳାରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ ଜିତି ସାରିଥିବା ବେଳେ ଶୃଙ୍ଖଳା ହାତଛଡ଼ା କରିସାରିଥିବା ଇଂଲଣ୍ଡ ପାଇଁ ପରାଜୟ ବ୍ୟବଧାନ କମାଇବାର ଶେଷ ସୁଯୋଗ ରହିଛି। ସେହିପରି ଭାରତ ୫ମ ମ୍ୟାଚରେ ବିଜୟ ହୋଇ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ସେହିପରି ଧର୍ମଶାଳାରେ ଅଶ୍ବିନ ଶତକୀୟ ଟେଷ୍ଟ୍‌ ଖେଳିବାକୁ ଯାଉଥିବାରୁ ଏହାକୁ ଜିତି ଭାରତ ଅଧିକ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିଛି। ଯଶପ୍ରୀତ୍‌ ବୁମ୍‌ରା ଶେଷ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଭାରତ ତାହାର ବଡ଼ ଅସ୍ତ୍ର ଫେରିପାଇଛି। ହେଲେ ୭୦୦ ୱିକେଟ୍‌ର ମାଇଲ୍‌ଖୁଣ୍ଟ ଠାରୁ ମାତ୍ର ଦୁଇ ୱିକେଟ୍‌ ଦୂରରେ ଥିବା ଇଂଲଣ୍ଡ ଦ୍ରୁତ ବୋଲର୍‌ ଜେମ୍ସ ଆଣ୍ଡରସନ୍‌ଙ୍କ ଉପରେ ବିଶ୍ବର ନଜର ରହିବ। କିନ୍ତୁ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଶୃଙ୍ଖଳାକୁ ୩-୨ରେ ଶେଷ କରିବେ ବୋଲି ଆତ୍ମବିଶ୍ବାସ ଦେଖାଇଛନ୍ତି।

ସମୁଦ୍ର ପତନଠୁ ୫ହଜାର ଫୁଟ୍‌ ଉଚ୍ଚତାରେ ଅତି କୋହଲା ପାଗରେ ଦୁଇ ଦଳ ପ୍ରସ୍ତୁତି ଶେ‌ଷ କରିଛନ୍ତି। ତେବେ ଭାରତ ଶୃଙ୍ଖଳାକୁ ୩-୧ ନା ୪-୧ରେ ଶେଷ କରିବ ତାହା ଉପରେ ନଜର ରହିବ। ମ୍ୟାଚ୍‌ର ପାଞ୍ଚ ଦିନ ଭିତରୁ ଅନ୍ୟୂନ ତିନି ଦିନ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏହା ମଧ୍ୟ ଉଭୟ ଦଳକୁ ଚିନ୍ତାରେ ପକାଇପାରେ। ୬ବର୍ଷ ପରେ ଟେଷ୍ଟ୍ ଫେରୁଥିବାରୁ ହିମାଚଳ କ୍ରିକେଟ୍ ସଂଘ ସହ ସ୍ଥାନୀୟ କ୍ରିକେଟ୍‌ପ୍ରେମୀ ଏହି ମ୍ୟାଚ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

୧୦୦ ଟେଷ୍ଟ୍‌ କ୍ଲବରେ ଅଶ୍ବିନୀ:
ଚଳିତ ସପ୍ତାହରେ ୪ ଜଣ ସଦସ୍ୟ ୧୦୦ତମ ଟେଷ୍ଟ୍‌ କ୍ଲବ୍‌ରେ ସାମିଲ ହୋଇଯିବେ। ଆଜିଠାରୁ ଆରମ୍ଭ ହେ‌ଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍‌ରେ ଆର୍ ଅଶ୍ବିନ, ଜନି ବେୟାରଷ୍ଟୋ ଏବଂ ଶୁକ୍ରବାରଠାରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ୍‌‌ରେ ଟିମ୍ ସାଉଦି ଓ କେନ୍ ୱିଲିୟମସନ୍‌ ଏହି କ୍ଲବ୍‌ରେ ଯୋଡ଼ିହେବେ। ଏଥି ସହିତ ଶତକ ଟେଷ୍ଟ୍‌ କ୍ଲବ୍ ସଦସ୍ୟଙ୍କ ସଂଖ୍ୟା ୮୦ ‌ହୋଇଯିବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ରଜତ ପଟିଦାର, ରବୀନ୍ଦ୍ର ଜାଡ଼େଜା, ସର୍‌ଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ/ଆକାଶ ଦୀପ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା।

ଇଂଲଣ୍ଡ ଏକାଦଶ: ଜାକ୍‌ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ବେନ୍‌ ଫୋକ୍ସ, ଟମ୍‌ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ୍‌, ସୋଏବ୍‌ ବଶିର।

Leave A Reply

Your email address will not be published.