Odisha Link
Bridging the Missing Links in Odisha

ଖଣ୍ଡପଡ଼ାରୁ କିଏ ହେବେ ବିଜେଡି ପ୍ରାର୍ଥୀ?

ବାହ୍ୟ ପ୍ରାର୍ଥୀଙ୍କୁ ନାପସନ୍ଦ, ଭାପୁରକୁ ଗୁରୁତ୍ବ

ନୟାଗଡ଼: ପୂର୍ବ ସାଧାରଣ ନିର୍ବାଚନମାନଙ୍କରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ବହୁ ବିଳମ୍ବରେ ହେଉଥିବାବେଳେ ଏଥର ଦଳ ପକ୍ଷରୁ ଆଗୁଆ ନିଷ୍ପତ୍ତି ନିଆଯାଉଛି। ତିନିଦିନ ତଳେ ଦଳ ପ୍ରାୟ ଅଧା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଏଥିରେ ନୟାଗଡ଼ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ସ୍ଥାନ ପାଇଥିବାବେଳେ ଖଣ୍ଡପଡ଼ା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। ଖଣ୍ଡପଡ଼ାରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ସ୍ଥାନୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଥିବାବେଳେ ଏକାଧିକ ସମୀକରଣ ସାମନାକୁ ଆସିଛି।

୨୦୧୪ରେ ଏଠାରୁ ବିଧାୟକ ହୋଇଥିବା ଅନୁଭବ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ସର୍ବାଗ୍ରେ ଥିବାବେଳେ ସେ ଗାଁ ଗାଁ ବୁଲି ନିଜର ପୁରୁଣା ସମର୍ଥକ ଓ ସଙ୍ଗଠନକୁ ପୁଣି ଏକାଠି କରିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ଅନ୍ୟପଟେ ଦଳ ଭିତରେ ତାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଖଣ୍ଡପଡ଼ା ବ୍ଲକ୍‌ ଉପାଧ୍ୟକ୍ଷ ତଥା ବିଜେଡିର ଟାଣୁଆ ନେତା ଶିଶିର କୁମାର ସାହୁ ତାଙ୍କର ପ୍ରମୁଖ ବିରୋଧୀ ଥିବାବେଳେ ଗତ ସପ୍ତାହରେ ସେ ଅନୁଭବଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରି ଏକ ବିଶାଳ ସଭାର ଆୟୋଜନ କରିଥିଲେ। ବିଜୁ ବାବୁଙ୍କ ସମୟରୁ ଅଣକଂଗ୍ରେସ ରାଜନୀତିରେ ସକ୍ରିୟ ଥିବା କଣ୍ଟିଲୋର ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ବର ଶତପଥୀ ଏକଦା ଅନୁଭବଙ୍କ ଅନୁଗତ ଥିବାବେଳେ ଏବେ ସେମାନଙ୍କ ଭିତରେ ଅହିନକୁଳ ସମ୍ପର୍କ। ଭାପୁରର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ତଥା ବିଜେଡିର ଅନ୍ୟତମ ତୁଙ୍ଗନେତା ଗୟାଧର ପରିଡ଼ା ୨୦୧୭ ମସିହାଠାରୁ ଅନୁଭବଙ୍କୁ ଭାପୁର ବ୍ଳକ୍‌ରେ ପୂରାଇ ନଦେବାକୁ ପଣ କରିଛନ୍ତି।

ଖଣ୍ଡପଡ଼ାରୁ ଦ୍ବିତୀୟ ଦାବିଦାର ଅଛନ୍ତି ପୂର୍ବତନ ଭାରତୀୟ ଜନତା ପାର୍ଟି ନେତା ଇରାନୀ ରାୟ। ନୟାଗଡ଼ରେ ପୂର୍ବରୁ ବିଧାୟକ ପଦ ପାଇଁ ଲଢ଼ିଥିବା ଇରାନୀ ନିକଟରେ ପଦ୍ମପୋଖରୀ ଛାଡ଼ି ନିଜର ସମର୍ଥକଙ୍କ ସହ ଶଙ୍ଖସମୁଦ୍ରରେ ସାମିଲ ହୋଇଛନ୍ତି। ନିଜର ରାଜନୈତିକ ସଂକଟକୁ ପ୍ରତିହତ କରିବା ପାଇଁ ତାଙ୍କୁ ଦଳକୁ ଆଣିବାରେ ସମର୍ଥ ହୋଇଥିବା ବିଜେଡି ନେତା ଅରୁଣ କୁମାର ସାହୁ ଇରାନୀଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରିବାକୁ ଆଗ୍ରହୀ ଥିବା ସୂଚନା ମିଳିଛି। ବର୍ତ୍ତମାନର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ବିଜେଡି ଅଡ଼ୁଆରେ ପଡ଼ିଥିବାବେଳେ ଖଣ୍ଡପଡ଼ା ବାହାର ବ୍ୟକ୍ତିଙ୍କୁ ପୁଣି ପ୍ରାର୍ଥୀ କରାଗଲେ ଦଳ ଏଠାରେ ବିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

ଖଣ୍ଡପଡ଼ାରୁ ତୃତୀୟ ଦାବିଦାର ଅଛନ୍ତି ବର୍ତ୍ତମାନର ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ। ୨୦୧୭ରେ ରାଜନୀତିକୁ ଆସିଥିବା ବେଣୁଧର ଭାପୁରକୁ ବିଜେଡିର ଗଡ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଭାପୁର ବ୍ଲକ୍‌ରେ ୨୦ ପଞ୍ଚାୟତରୁ ୧୭ଟି ପଞ୍ଚାୟତରେ ନିଜର ପ୍ରାର୍ଥୀଙ୍କୁ ଜିତାଇ ସେ ପଞ୍ଚାୟତ ସମିତି ଗଠନ କରିଛନ୍ତି ଓ ତାଙ୍କର ପତ୍ନୀ ସାବିତ୍ରୀ ପ୍ରଧାନଙ୍କୁ ଅଧ୍ୟକ୍ଷା କରାଇଛନ୍ତି। ବିଗତ ୨୪ ବର୍ଷରେ ଏଠାରେ ସମସ୍ତ ବିଜୁ ଜନତା ଦଳ ପ୍ରାର୍ଥୀ ଖଣ୍ଡପଡ଼ା ବ୍ଲକ୍‌ରୁ ହୋଇଥିବାବେଳେ ପ୍ରଥମ ଥର ପାଇଁ ଭାପୁର ବ୍ଳକ୍‌ରୁ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି। ଖଣ୍ଡପଡ଼ାରେ ଭାରତୀୟ ଜନତା ପାର୍ଟିର ସମ୍ଭାବ୍ୟ ପ୍ରାର୍ଥୀ ଅଭିଳାଷ ପଣ୍ଡା ଭାପୁର ବ୍ଲକ୍‌ର ହୋଇଥିବାବେଳେ ସ୍ଥାନୀୟ ଅସ୍ମିତା ଏଥର ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି।

ଖଣ୍ଡପଡ଼ା ବ୍ଲକ୍‌ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ମଧ୍ୟ ଏଥର ନିଜକୁ ବିଜୁ ଜନତା ଦଳର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ବିବେଚନା କରୁଛନ୍ତି। ଖଣ୍ଡପଡ଼ାରେ ତାଙ୍କ ସମର୍ଥକମାନେ ତାଙ୍କୁ ବିଧାୟକ କରିବା ପାଇଁ ନିବେଦନ କରି ସାମାଜିକ ଗଣମାଧ୍ୟମରେ ଅନୁରୋଧ ଭିଡିଓ ରଖୁଛନ୍ତି। ସେ ଅନୁଭବଙ୍କର ପ୍ରମୁଖ ବିରୋଧୀ ଭାବେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ଟିକେଟ୍‌ ଯାହାକୁ ମିଳୁଛି ମିଳୁ, ଅନୁଭବଙ୍କୁ ମିଳିଲେ ସେ ନିଜର ୪୦ ହଜାର ସମର୍ଥକଙ୍କ ସହ ବିଦ୍ରୋହ ଘୋଷଣା କରିବେ ବୋଲି ଖୋଲା ଆହ୍ବାନ ଦେଇଛନ୍ତି।

ଏହି ଚାରିଜଣଙ୍କ ଛଡ଼ା ଜଣେ ପଞ୍ଚମ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ମଧ୍ୟ ଭୁବନେଶ୍ବରରେ ବିଜେଡି ମହଲରେ ଚର୍ଚ୍ଚା ହେଉଛି। ସେ ଖଣ୍ଡପଡ଼ା ବାହାରର ଲୋକ ବୋଲି ସୂଚନା ମିଳୁଛି। ତେବେ ସେ ସୌମ୍ୟରଂଜନ ପଟ୍ଟନାୟକଙ୍କ ପରିବାର କେହି ବା ଅନ୍ୟ କେହି ତାହା ସ୍ପଷ୍ଟ ହୋଇନାହିଁ।

ଗତକାଲି ବିଳମ୍ବିତ ରାତିରେ ସୌମ୍ୟରଂଜନଙ୍କ ଭୁବନେଶ୍ବର ବାସଭବନକୁ ବିଜେଡିର ବରିଷ୍ଠ ନେତା ପ୍ରଣବପ୍ରକାଶ ଦାସ ଯିବା ଓ ଦିନରେ ସୌମ୍ୟଙ୍କ ଝିଅ ତଥା ସମ୍ବାଦର ସଂପାଦକ ତନୟା ପଟ୍ଟନାୟକ ନବୀନ ନିବାସ ଯିବା ସମ୍ଭାବନାର ନୂଆ ଦିଗକୁ ଇଙ୍ଗିତ କରୁଛି।

ସ୍ବାଧୀନତା ପରଠାରୁ ମୁଖ୍ୟତଃ ଦୁଇଟି ପରିବାର ଖଣ୍ଡପଡ଼ାରେ ବିଧାୟକ ହୋଇ ଆସିଛନ୍ତି। ଖଣ୍ଡପଡ଼ା ରାଜପରିବାର ସଦସ୍ୟ ଏଠାରୁ ୮ ଥର ବିଧାୟକ ହୋଇଥିବାବେଳେ ଅନୁଭବ ପଟ୍ଟନାୟକଙ୍କ ପରିବାର ସଦସ୍ୟ ୪ ଥର ବିଧାୟକ ହୋଇଛନ୍ତି। ଖଣ୍ଡପଡ଼ା ବାହାର ବ୍ୟକ୍ତି ଭାବରେ ପ୍ରଥମ ଥର ପାଇଁ ଗତ ନିର୍ବାଚନରେ ସୌମ୍ୟରଂଜନ ପଟ୍ଟନାୟକ ଏଠାରୁ ବିଧାୟକ ହୋଇଛନ୍ତି।

Leave A Reply

Your email address will not be published.