ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା ‘ଭାଷା ସଂଗୀତ’

ଭୁବନେଶ୍ବର: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୋତାର୍ପିତ ହୋଇଯାଇଛି ଏକ ଅଭିନବ ଦୃଶ୍ୟଗୀତ “ଭାଷା ସଂଗୀତ”। ଚଳିତଥର ଉତ୍କଳ ଦିବସ ଅବସରର ଦିନକ ପୂର୍ବରୁ “ଭାଷା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଭବ୍ୟ ଉତ୍ସବରେ ଅତିଥି ଭାବେ ବିଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ପ୍ରସିଦ୍ଧ କବି ଓ ଗୀତିକାର ଦେବଦାସ ଛୋଟରାୟ, ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇିଥିଲେ।
ଆହ୍ୱାନଧର୍ମୀ ଏ ଗୀତର ପରିକଳ୍ପନା ଓ ରଚନା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର। ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରସ୍ତୁତ ଏ ସଂଗୀତରେ ଓଡ଼ିଆ ଭାଷାର ମହିମାମଣ୍ଡନ ଓ ଓଡ଼ିଆ ଭାଷାର ଅସ୍ମିତା ସାଙ୍ଗକୁ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବାବଦରେ ବର୍ଣ୍ଣନା ରହିଛି।
ଓଡ଼ିଆ ଭାଷାର ଉତ୍ପତ୍ତି, ବିବର୍ତ୍ତନ, ଏହାର ଦୁଇ ସହସ୍ର ବର୍ଷରୁ ଅଧିକ ଦୀର୍ଘ ଇତିହାସ, ଭାଷାର କ୍ରମବିକାଶ, ସାହିତ୍ୟ, ସଂକଟ, ଉନବିଂଶ ଶତାବ୍ଦୀର ଭାଷା ଆନ୍ଦୋଳନ, ପ୍ରଥମ ଭାଷାଭିତ୍ତିକ ରାଜ୍ୟଗଠନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ଯାଏଁ ନାନାଦି ବିଭବ ଏ ଗୀତରେ ଖଞ୍ଜାଯାଇଛି।
ପ୍ରସିଦ୍ଧ କବି ଓ ଗୀତିକାର ଦେବଦାସ ଛୋଟରାୟ କହିଛନ୍ତି, ଭାଷା ଗୋଟିଏ ପରିବହନର ମାଧ୍ୟମ, ସେହିପରି ସାହିତ୍ୟ ବି ଗୋଟେ ପରିବହନର ମାଧ୍ୟମ। ଆଉ ଗୀତ ବା ସଂଗୀତ ସବୁଠୁ ବଡ଼ ପରିବହନର ମାଧ୍ୟମ ଅଟେ। ସଂଗୀତର ଧାର ଆଉ ଦୂରତା ବହୁତ ଅଧିକା। ଆମ ଓଡ଼ିଆ ଗୀତ ବି ସୁଦୂର ଆର୍ଜେଣ୍ଟିନାରେ ବି ଶୁଭାଯାଏ। ସେହିପରି ସେ ଆହୁରି କହିଛନ୍ତି, ଶାସ୍ତ୍ରୀୟ ମାନତ୍ୟା ପାଇଥିବା ଓଡ଼ିଆ ଭାଷା ବହୁ ବଳିଷ୍ଠ। ଏବେ ସମୟ ଆସିଛି ଆମ ଭାଷାକୁ ଆଗକୁ ଆହୁରି ନେବା। ଆମ ଭାଷା ଆହୁରି ଆଗକୁ ଯିବ। ଆଧୁନିକ ସହିତ ସମସ୍ତେ ତାଳ ଦେଇ ଆଗକୁ ବଢ଼। ଅନ୍ୟ ଭାଷା ଶିଖ କିନ୍ତୁ ଓଡ଼ିଆ ଭାଷା ଭୁଲି ଯାଅନାହିଁ। ନିଜକୁ ଓଡ଼ିଆ ବୋଲି ଯେମିତି ଗର୍ବିତ ଅନୁଭବ କରୁଛ। ସେହିପରି ଓଡ଼ିଆ ସାହିତ୍ୟ, ସଂଗୀତକୁ ନେଇ ସବୁବେଳେ ଗର୍ବିତ ଅନୁଭବ କରନ୍ତୁ। ଅଭିଜିତ ମିଶ୍ର ଆଉ ଶୁଭ୍ରାଂଶୁ ପଣ୍ଡା ଯେଉଁ ଭାଷା ସଂଗୀତ କରିଛନ୍ତି ସେଥିପାଇଁ ସାଧୁବାଦ। ଦୁଇ ଜଣଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଛନ୍ତି।
ସେହିପରି ବିଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ କହିଛନ୍ତି, ଆଜିକାଲି ଓଡ଼ିଆ ସଂଗୀତ ଭିନ୍ନ ଦିଗରେ ଯାଉଥିବା ବେଳେ ଖାଣ୍ଟି ଓଡ଼ିଆ ଗୀତ ଆଜି ଶୁଣିବାକୁ ମିଳିଲା। ପୁରୁଣା ଓ ଆଧୁନିକତାର ଛାପ ଏହି ସଂଗୀତ ମାଧ୍ୟମରେ ଶୁଣିବାକୁ ମିଳିଲା। ଏଇ ଯେଉଁ କମ୍ପୋଜିସନ୍ଟି ହୋଇଛି ତାହା ଖୁବ୍ ଚତ୍ମକାର। ପ୍ରସିଦ୍ଧ ସଂଗୀତଜ୍ଞ ଏ ଆର ରେହମାନଙ୍କ କମ୍ପୋଜିସନ୍ ପରି ଏହି ସଂଗୀତର କମ୍ପୋଜିସନ୍ ହୋଇଛି। ଖୁବ ଚମତ୍କାର ଲାଗିଲା ସଂଗୀତଟି। ଶୁଭ୍ରାଂଶୁ ଓ ଅଭିଜିତଙ୍କ ଏହି ଯୁଗଳ ବନ୍ଦୀ ଓଡ଼ିଆ ସଂଗୀତକୁ ନିଶ୍ଚିତ ନୂଆ ଦିଶା ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଉତ୍ସବରେ ଯୋଗ ଦେଇ କହିଛନ୍ତି, ଯୁବ ପିଢ଼ିକୁ ବାଦ ଦେଇ ଆମେ ଭାଷା ଆନ୍ଦୋଳନର କଥା ଆଦୌ ଆଲୋଚନା କରି ପାରିବା ନାହିଁ। ଓଡ଼ିଶାର ଭବିଷ୍ୟତ ହେଉଛନ୍ତି ଯୁବପିଢ଼ି। ଓଡ଼ିଆ ଭାଷାର ଭବିଷ୍ୟତ ପାଇଁ ଯୁବ ଓଡ଼ିଆଙ୍କ ପାଖରେ ଆମକୁ ପହଁଞ୍ଚିବାକୁ ପଡ଼ିବ। ବିଭିନ୍ନ ମାଧ୍ୟମରେ ପହଁଞ୍ଚିବାକୁ ପଡ଼ିବ। କେବଳ ସାହିତ୍ୟ ନୁହେଁ, କେବଳ ବହି ନୁହେଁ, କେବଳ ଶୁଦ୍ଧ ଓଡ଼ିଆ କଥନ କିମ୍ବା ଲିଖନ ବି ନୁହେଁ। ଗୀତ ମାଧ୍ୟମରେ, ସିନେମା ମାଧ୍ୟମରେ ଆମେ ଭାଷାକୁ ଅଧିକ ପ୍ରସାରୀ କରିପାରିବା। ଶୁଭ୍ରାଂଶୁ ବାବୁ ଓ ଅଭିଜତ ବାବୁଙ୍କ ଏଭଳି ସଂଗୀତ ନିଶ୍ଚୟ ଓଡ଼ିଆ ଭାଷା, ସଂଗୀତକୁ ବହୁତ ଆଗକୁ ନେବ ବୋଲି କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ଏବେ ସମୟ ଆସିଛି ଆମେ ସମସ୍ତେ ଆଗ ନିଜେ ନିଜ ଭାଷା, ନିଜ ଇତିହାସ, ନିଜ ରାଜ୍ୟକୁ ଭଲ ପାଇବା ଆଉ ଆମେ ସମସ୍ତେ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର ହେବା।
ଆଜି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ଅଂଶୁମାନ ଜେନା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ପବିତ୍ର ମୋହନ କର। ଗୀତଟି ୟୁଟ୍ୟୁବ୍ ଓ ବିଭିନ୍ନ ସଂଗୀତ ଆପ୍ରେ ଉପଲବ୍ଧ।