Odisha Link
Bridging the Missing Links in Odisha

ଲୋକପ୍ରିୟ ୟୁଟ୍ୟୁବର ମନୀଷଙ୍କ ୟୁ ଟର୍ଣ୍ଣ, ବିଜେପିରେ ସାମିଲ ହେବା ପୂର୍ବରୁ କଲେ ବଡ଼ ଘୋଷଣା

ଓଏଲ୍‌ ବ୍ୟୁରୋ: କେବଳ ବିହାର ନୁହେଁ ସାରା ଭାରତର ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ। ମନୀଷ କଶପ୍ୟ ଆଜି ଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେବେ। ବିଜେପିରେ ଯୋଗ ଦେବା ପୂର୍ବରୁ ମନୀଷ କରିଥିଲେ ବଡ଼ ଘୋଷଣା। ବିହାରର ପଶ୍ଚିମ ଚମ୍ପାରଣ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ ମନୀଷ। ହେଲେ ଏବେ ସେ ୟୁ-ଟର୍ଣ୍ଣ ନେବା ସହିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।

ନିଜକୁ ସନ୍‌ ଅଫ୍‌ ବିହାର କହି ବୁଲୁଥିବା ମନୀଷ କଶ୍ୟପ ପଶ୍ଚିମ ଚମ୍ପାରଣ ଆସନରେ ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରି ସାରିଥିଲେ। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇବକୁ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ। ହେଲେ ତାପୂର୍ବରୁ ସେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ବିହାରରେ ଏନଡିଏ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ମନୀଷ। ସୂଚନାଥାଉକି, ୨୦୨୦ ବିହାର ବିଧାନସଭା ନିର୍ବାଚନରେ ସେ ଚନପାଟିଆ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ କିନ୍ତୁ ନିର୍ବାଚନରେ ପରାଜିତ ହୋଇଥିଲେ।

ବିହାରର ବେତିୟା ଜିଲ୍ଲାରେ ରହିଥିବା ମନୀଷ କଶ୍ୟପ ସେତେବେଳେ ବେଶ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କୁ ମିଛ ଭାଇରାଲ ଭିଡିଓ ମାମଲାରେ ପୁଲିସ ଗିରଫ କରିଥିଲା। ପାଖାପାଖି ୯ ମାସ ଧରି ସେ ଜେଲରେ ରହିଥିଲେ। ମାର୍ଚ୍ଚ ୩୦ ୨୦୨୩ରେ ତାଙ୍କୁ ଗିରଫ କରିଥିଲା ପୁଲିସ। ପରେ ୯ ମାସ ପରେ ମୁକୁଳିଥିଲେ ମନୀଷ। ଏଥିସହିତ ୟୁଟ୍ୟୁବରେ ମଧ୍ୟ ସେ ବେଶ ଲୋକପ୍ରିୟ। ତାଙ୍କ ଚ୍ୟାନେଲର ପାଖାପାଖି ୮.୭୫ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି।

କାହିଁକି ଗିରଫ ହୋଇଥିଲେ ମନୀଷ:

ତାମିଲନାଡୁରେ ବିହାରର ଶ୍ରମିକଙ୍କୁ ପିଟାମରା କରିବା କଥିତ ଭିଡିଓ ମନୀଷ ତାଙ୍କ ୟ୍ୟୁଟୁବ ଚ୍ୟାନେଲରେ ପୋଷ୍ଟ କରିଥିଲେ। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ହେଲେ ଆଇନର ଜାଲରେ ଛନ୍ଦି ହୋଇଯାଇଇଲେ ମନୀଷ। ଭିଡିଓ ଭାଇରାଲ ହେବା ପରେ ତାମିଲନାଡୁ ପୁଲିସ ଭିଡିଓଟିକୁ ମିଛ ବୋଲି ଦର୍ଶାଇଥିଲା ଓ ମନୀଷଙ୍କ ନାମରେ ମାମଲା ଦାଖଲ କରିଥିଲା। ପରେ ମନୀଷଙ୍କୁ ଗିରଫ କରିଥିଲା ପୁଲିସ।

Leave A Reply

Your email address will not be published.