ଶେଷ ପର୍ଯ୍ୟାୟ ମତଦାନ: ସକାଳ ୭ରୁ ଭୋଟ ଦେଉଛି ଓଡ଼ିଶା

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ଶେଷ ପର୍ଯ୍ୟାୟ ନିର୍ବାଚନ। ବହୁ ପ୍ରତୀକ୍ଷିତ ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ ବିଧାନସଭା ଆସନରେ ମତଦାତାମାନେ ଭୋଟ ଦେଉଛନ୍ତି। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର।
ଶେଷ ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି। ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ଦେବେ ଭୋଟ। ସେମଧ୍ୟରୁ ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।
ଅନ୍ତିମ ପର୍ଯ୍ୟାୟ ମତଦାନରେ ମୋଟ ୭୨ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍ ଓ ବିଧାନସଭା ପାଇଁ ୧୪୧୨୨ଟି ବାଲାଟ୍ ୟୁନିଟର ବ୍ୟବସ୍ଥା ହୋଇଛି। ୧୪୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯାଉଛି।
ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ରାଜ୍ୟର ୮ଟି ଜିଲ୍ଲା ଅନ୍ତର୍ଗତ ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ପୁରୀ ଜିଲ୍ଲାର ୨ଟି ବିଧାନସଭା କ୍ଷେତ୍ରରେ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି।