Odisha Link
Bridging the Missing Links in Odisha

ଚନ୍ଦ୍ରପୃଷ୍ଠରେ ଏକ ବର୍ଷ ବିତେଇଲା ଚନ୍ଦ୍ରଯାନ-୩, ଏବେ କେମିତି ଅଛନ୍ତି ବିକ୍ରମ ଓ ପ୍ରଜ୍ଞାନ

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର। ଆମେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ସଫଳ ହୋଇଛି। ଏବେ ଭାରତ ଚନ୍ଦ୍ରପୃଷ୍ଠରେ ରହିଛି। ଇସ୍ରୋ (ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ)ର ମୁଖିଆ ଏସ୍‌ ସୋମନାଥଙ୍କ ଏହି କଥା ଶୁଣିବା ପରେ ସାରା ଦେଶ ଝୁମି ଉଠିଥିଲା। ଏହି କଥା ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଙ୍ଗ ସମୟର। ଠିକ୍‌ ଏକ ବର୍ଷ ତଳେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ଧ୍ରୁବରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା। ଏହିକଥା ଆମେ ଆପଣଙ୍କୁ ଆଜି କହୁଛି କାରଣ ଆଜି ଜାତୀୟ ମହାକାଶ ଦିବସ।

ଠିକ୍‌ ବର୍ଷକ ତଳେ ଆଜିର ଦିନରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଙ୍ଗ କରିଥିଲା। ଏଥିସହିତ ଦେଶକୁ ଜାତୀୟ ମହାକାଶ ଦିବସର ଉପହାର ମଧ୍ୟ ଦେଇଥିଲା। ଆଜି ସାରା ଦେଶ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରୁଛି। ଚନ୍ଦ୍ରଯାନ-୩ କୁ ଚନ୍ଦ୍ରଯାନ-୨ର ଫଲୋ ଅନ୍‌ ମିଶନ ବୋଲି କୁହାଯାଇଥିଲା। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ ସିବନଙ୍କ ତତ୍ତ୍ବାବଧାନରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠକୁ ଛଡ଼ା ଯାଇଥିଲା। ହେଲେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଫଳତା ହାସଲ କରି ପାରନିଥିଲା। ଚନ୍ଦ୍ରଯାନ-୩ରେ ଏକ ଲ୍ୟାଣ୍ଡର (ବିକ୍ରମ) ଓ ଏକ ରୋବର (ପ୍ରଜ୍ଞାନ) ସାମିଲ ଥିଲା। ଏଲ୍‌ଭିଏମ୍‌୩ର ସହାୟତାରେ ଏସ୍‌ଡିଏସ୍‌ସି ଏସ୍‌ଏଚ୍‌ଏଆର, ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା। ଯାହା ଅଗଷ୍ଟ ୨୩ ତାରିଖରେ ସଫ୍ଟ ଲ୍ୟାଣ୍ଡିଙ୍ଗ ହୋଇଥିଲା।

ସବୁଠୁ ବଡ଼କଥା ହେଲା ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କେବଳ ଏକ ଦିନ ଚାଲିଲା ଭଳି ଡିଜାଇନ୍‌ ହୋଇଥିଲା। ପୃଥୀବର ଏକ ଦିନ ଚନ୍ଦ୍ରପୃଷ୍ଠରେ ୧୪ ଦିନ ହୋଇଥାଏ। ଲ୍ୟାଣ୍ଡିଙ୍ଗ କରିବା ପରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରୁ ସଲଫର, ଆଲୁମିନିୟମ, କ୍ୟାଲିସିୟମ, ଲୁହା, କ୍ରୋମିୟମ, ଟାଇଟିନିୟମ, ମାଙ୍ଗାନିଜ, ଅମ୍ଲଜାନ, ସିଲିକନ୍‌ ଥିବା ନେଇ ସୂଚନା ଦେଇଥିଲା।