କୋଲକାତା: ଆଜି ‘ନବାନ୍ନ’ ଘେରାଉ କରିବେ ୩୦ ହଜାର ଛାତ୍ରଛାତ୍ରୀ, ସବୁଠୁ ବଡ଼ ଆନ୍ଦୋଳନ ଡାକରା

ଓଏଲ୍ ବ୍ୟୁରୋ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତାତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ରେ ମହା ବିକ୍ଷୋଭ କରିବାକୁ ଯାଉଛନ୍ତି ଛାତ୍ର ସମାଜ। ମମତା ବାନାର୍ଜିଙ୍କ ଇସ୍ତଫା ଦାବି ରାସ୍ତାକୁ ଓହ୍ଲାଇବେ ଛାତ୍ର ସମାଜ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଙ୍ଗଠନ। ସବୁଠୁ ବଡ଼କଥା ହେଲା ଛାତ୍ର ସମାଜ ପକ୍ଷରୁ ହେବାକୁ ଥିବା ବିରୋଧ ପ୍ରଦର୍ଶନକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରିଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ। ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ। ଏହି ରାଲିକୁ ‘ନବାନ୍ନ ଅଭିଯାନ’ କୁହାଯାଉଛି। ବିନା କୌଣସି ରାଜନୈତିକ ବ୍ୟାନରରେ ଏହି ବିକ୍ଷୋଭର ଡାକରା ଦିଆଯାଇଛି। ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ଯାଏ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ନବାନ୍ନ ହେଉଛି ରାଜ୍ୟ ସଚିବାଳୟ, ଯେଉଁଠାରୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟ କରନ୍ତି। ନବାନ୍ନରେ ହିଁ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଅଫିସ ଅଛି।
ନବାନ୍ନ ଭବନ ବାହାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା:
ନବନ୍ନା ଭବନ ବାହାରେ କୋଲକାତା ପୁଲିସ ଓ ହାଓ୍ବଡା ସିଟି ପୁଲିସ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକାରୀଙ୍କୁ ଅଧିକ ସତର୍କ ଓ ସିସିଟିଭି ଫୁଟେଜ ଉପରେ ନଜର ରଖିବାକୁ କୁହାଯାଇଛି। ସେହିପରି ନବାନ୍ନ ଭବନ ବାହାରେ ଓ୍ବାଟର କେନନ ଓ ବଜ୍ର ବାହନ ବି ରହିଛି।
ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବେ। ଯାହାର ପ୍ରଭାବ ଏବେଠୁ ଦେଖା ଦେଲାଣି। ଏହି ବିକ୍ଷୋକୁ ଦୃଷ୍ଟିରେ ରଖି କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ୬୦୦୦ରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ୧୯ଟି ସ୍ଥାନରେ ବ୍ୟାରିକେଡିଂ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ପୁଲିସ କମିଶନର ନିୟୋଜିତ ହୋଇଛନ୍ତି। ହାଷ୍ଟିଙ୍ଗସ୍, ଫୁରଲଙ୍ଗ୍ ଗେଟ୍, ଷ୍ଟାଣ୍ଡ ରୋଡ୍ ଏବଂ କୋଲକାତାର ଟ୍ୱିନ୍ ସିଟି ହାଓ୍ୱଡା ଭଳି ସ୍ଥାନରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି।